ନୂଆପଡାରେ ନାବାର୍ଡ ପ୍ରାୟୋଜିତ ବିରାଟ ଋଣ ମେଳା ସହିତ ଆର୍ଥିକ ଓ ଡିଜିଟାଲ ସଚେତନତା ଶିବିର ଅନୁଷ୍ଠିତ

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ସହର ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଜାତୀୟ ତଥା ଘରୋଇ ବ୍ୟାଙ୍କକୁ ନେଇ ନାବାର୍ଡ ପ୍ରାୟୋଜିତ ଏକ ବିରାଟ ଋଣ ମେଳା ଆୟୋଜନ କରାଯାଇଥିଲା । ଏହି ଋଣ ମେଳାରେ ୨୨୫ ଜଣ ହିତାଧୀକାରୀଙ୍କୁ ମୋଟ ୧୪ କୋଟି ୮୬ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଋଣ ମେଳାରେ ନାବାର୍ଡ ଜିଲ୍ଲା ପରିଚାଳକ ସୁନାରାମ ମାଝୀ, ଲିଡ଼ ବ୍ୟାଙ୍କ ପରିଚାଳକ ସୀତାରାମ ମେହେର, ମିଶନଶକ୍ତି ଜିଲା ସଂଯୋଜନ ସୁନିଲ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ସମୀର ମୁଦୁଲି, ବିସିସିବି,ଏସ୍‌ବିଆଇ, ୟୁକୋ, ବିଓବି, ବିଓଏମ୍‌, ବିଓଆଇ, କାନାରା ବ୍ୟାଙ୍କ, ପିଏନ୍‌ବି, ୟୁନିଅନ ବ୍ୟାଙ୍କ, ଆକ୍ସିସ, ଡିସିବି, ଏଚ୍‌ଡିଏଫ୍‌ସି, ଆଇସିଆଇସିଆଇ, ଆଇଡିବିଆଇ, ୟୁଜିବି ପ୍ରଭୃତି ବ୍ୟାଙ୍କର ଅଧିକାରୀଗଣ ଉପସ୍ଥିତ ଥିଲେ । ସମସ୍ତ ଋଣ ଗ୍ରହୀତା, ଉଦ୍ୟୋଗୀ, ବ୍ୟବସାୟୀ, କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀମାନେ ମଧ୍ୟ ଉପସ୍ଥିତ ରହି ତାଙ୍କର ଋଣ ଅନୁମୋଦନ ଆଦେଶ ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ହିତାଧୀକାରୀମାନଙ୍କୁ ଋଣ ନେଇ ତାର ସଠିକ୍ ପରିଚାଳନା କରି ଆଗକୁ ବଢିବା ପାଇଁ ଉତ୍ସାହିତ କରିଥିଲେ । ଯେଉଁମାନେ ଏହି ଅର୍ଥର ସମୁଚିତ ସଦୁପଯୋଗ କରିବେ ସେମାନଙ୍କୁ ଭବିଷ୍ୟତରେ ଆହୁରି ବିଭିନ୍ନ ସହାୟତା ଦେବା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ ବୋଲି କହିଥିଲେ । ସମସ୍ତ ବ୍ୟାଙ୍କ୍ ତଥା ଉଦ୍ୟୋଗୀ ମିଶି ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ୟାକୁ ଦୂର କରିବା ପାଇଁ ସେ ଉଦ୍‌ବୋଧନ ଦେଇଥିଲେ । ଆଜି ଶିବିରରେ କେସିସିଏଏଚ୍‌ ଯୋଜନାରେ ୫ଟି ପ୍ରକଳ୍ପ ପାଇଁ ୪ ଲକ୍ଷ ଟଙ୍କା, ପିଏମ୍‌ଇଜିପିରେ ୧୪ଟି ପାଇଁ ୮୪ ଲକ୍ଷ ଟଙ୍କା, କେସିସିପିରେ ୮୫ଟି ପାଇଁ ୧୦୪.୨ ଲକ୍ଷ ଟଙ୍କା, ପିଏମ୍‌ଏଫଏମ୍ଇରେ ଗୋଟିଏ ପାଇଁ ୨୪ ଲକ୍ଷ ଟଙ୍କା, ଏମ୍‌କେ ୟୁଆର୍‌ ୯ଟି ପାଇଁ ୬୯୨ ଲକ୍ଷ ଟଙ୍କା, ମୁଦ୍ରାରେ ୧୧ଟି ପାଇଁ ୫୭ ଲକ୍ଷ ଟଙ୍କା, ଏସ୍‌ୟୁଆଇରେ ୨ଟି ପାଇଁ ୯୨ ଲକ୍ଷ ଟଙ୍କା, ପିଏମ୍‌ଏସ୍‌ଏନରେ ୧୦ଟି ପାଇଁ ୫ ଲକ୍ଷ ଟଙ୍କା, ଡିଆର୍‌ଆଇରେ ୩ଟି ପାଇଁ ୪୫ ହଜାର ଟଙ୍କା, ଏନ୍‌ୟୁଏଲ୍‌ଏମ୍‌ରେ ୫ଟି ପାଇଁ ୨୦ ଲକ୍ଷ ଟଙ୍କା, ୪୫ଟି ଏସ୍‌ଏଚ୍‌ଜିକୁ ୨୪୭ ଲକ୍ଷ ଟଙ୍କା, ସୂର୍ଯ୍ୟଘରରେ ୨୩ଟି ପାଇଁ ୩୭.୯୫ ଲକ୍ଷ ଟଙ୍କା ଅନ୍ୟାନ୍ୟ ୧୨ଟି ପ୍ରକଳ୍ପ ପାଇଁ ୧୦୩.୧୦ ଲକ୍ଷ ଟଙ୍କା ଏହିପରି ୨୨୫ଟି ହିତାଧିକାରୀଙ୍କୁ ସର୍ବମୋଟ ୧୪ କୋଟି ୮୬ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଲିଡବ୍ୟାଙ୍କ ପରିଚାଳଳ ସୀତାରମ ମେହେର ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.