oom

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ନିର୍ବାଚନର ପର୍ବ ଦେଶର ଗର୍ବ’ ସଚେତନତା କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ ବ୍ରହ୍ମପୁର ତଥା ଜାତୀୟ ସେବା ଯୋଜନା ବ୍ୟୁରୋ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷ ଠାରେ ଏକ ଦିନକିଆ ଭୋଟର ସଚେତନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟବକ୍ତା ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ନୋଡାଲ ଅଫିସର ଶ୍ରୀମତୀ ସସ୍ମିତା କୁମାରୀ ସାହୁ ଯୋଗଦେଇ ଇ.ଭି.ଏମ୍. ଏବଂ ଭି.ଭି.ପାଟ୍ ସମ୍ପର୍କରେ ସବିଶେଷ ସଚେତନତା ଏଵଂ ବିଶଦ ଆଲୋଚନା କରିଥିଲେ । ଏହା ସହ ନୂତନ ଭୋଟର ମାନଙ୍କୁ ଗଣତନ୍ତ୍ରର ମହାପର୍ବରେ ଯୋଗଦେଇ ନିଜ ଭୋଟଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ଼. ଜୟନ୍ତ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମଥର ପାଇଁ ଭୋଟଦାନର ଅଧିକାର ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏକ ସୁସ୍ଥ ଗଣତନ୍ତ୍ର ଗଠନ ଦିଗରେ ଭୋଟରମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଯୁବ-ଭୋଟରମାନେ ମତଦାନରେ ଭାଗ ନେଇ ଗଣତନ୍ତ୍ରକୁ ସୁଦ଼ଢ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶକ୍ତିରଞ୍ଜନ ଦାଶ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଏକ ସମୂହ ମତଦାତା ଶପଥ ପାଠ କରାଇଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତଦାନ ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନିର୍ବାଚନ ସଂପର୍କିତ ବିଭିନ୍ନ ଦିଗକୁ ନେଇ ଏକ କୁଇଜ ପ୍ରତିଯୋଗିତା ସଂଗଠିତ କରାଯାଇଥିଲା । ଏଥିରେ କୃତ୍ତି ପ୍ରତିଯୋଗିମାନଙ୍କୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ଭୋଟଦାନ ସଂପର୍କରେ ସଚତନତା ସୃଷ୍ଟି କରିବା ପାଇଁ ଏକ କଣ୍ଡେଇ ନାଟକ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏନ୍‌.ଏସ୍‌.ଏସ୍‌. କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକର୍ଷଣ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତା କୁମାରୀ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ବହୁ ସଂଖ୍ୟକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ସଂଚାର କାର୍ଯ୍ୟାଳୟର ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରମୋଦ କୁମାର ସାବତ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ଚନ୍ଦ୍ର ସାହୁ, ସୌମ୍ୟଶ୍ରୀ ସାହୁ ପ୍ରମୂଖ ଏଥିରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.