ବଲାଙ୍ଗିର, (କେପିଏନ୍ଏସ୍) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ଅକ୍ଟୋବର ୩୦ ତାରିଖଠାରୁ ଆରମ୍ଭ ହୋଇ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତ ପାବନ ଏକାଡେମୀ ହଲଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ବାର୍ତ୍ତା ହେଉଛି “ଦୁର୍ନୀତିକୁ ବିରୋଧ କରିବା ; ରାଷ୍ଟ୍ର ପ୍ରତି ସମର୍ପିତ ରହିବା”। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନସାଧାରଣ ନିଜର ଦାୟିତ୍ଵ, କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତିକୁ ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମାଜରୁ ଦୁର୍ନୀତି ରୋକିବାକୁ ହେଲେ ବ୍ୟାପକ ଜନସଚେତନତା ସହ ମାନସିକତାରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଡ଼ି.ଏସ୍.ପି ଭିଜିଲାନ୍ସ, ବଲାଙ୍ଗିର ପୁଲସ୍ତି ଛତ୍ରିଆ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସକାଶେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା ଛାତ୍ର ଜୀବନରୁ ହିଁ ଦୁର୍ନୀତି ବିରୋଧରେ ସଚେତନ ହେବା ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ପରିଷଦ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀ ସୁନା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୩ ପାଳନ ଉପଲକ୍ଷେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତା ପ୍ରଥମେ ବ୍ଲକ ଓ ମ୍ୟୁନିସିପାଲିଟି ତଥା ଏନ୍.ଏ.ସି ସ୍ତରରେ କରାଯାଇ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । “ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା “ ଶୀର୍ଷକ ବିଷୟବସ୍ତୁ ଉପରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଓଡିଆ ଏବଂ ଇଂରାଜୀ ଭାଷାରେ ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଆଜି ଅନୁଷ୍ଠିତ ସଚେତନତା ସଭାରେ ଅତିଥିମାନେ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ଡା. ପ୍ରେମଚାନ୍ଦ ମହାନ୍ତି ସଭା ସଂଯୋଜନା କରିଥିଲେ । ପତିତ ପାବନ ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ସମସ୍ତ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ । ଭାରପ୍ରାପ୍ତ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାରେ ନାଗରିକ କମିଟି, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସରକାରୀ ଅଧିକାରୀଙ୍କ ସମେତ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଶାଖାର କର୍ମଚାରୀମାନେ ଯୋଗଦେଇଥିଲେ ।
Prev Post