ନିଆରା ପ୍ରକ୍ରିୟାରେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ସଚେତନ କରିଲେ ‘ଜୟ ଓଡ଼ିଶା’ର ସଦସ୍ୟମାନେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ସଡ଼କ ସୁରକ୍ଷା ସଚେତନତା ନିମନ୍ତେ, ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜୟ ଓଡ଼ିଶା’ ଓ ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ୍ ଅଥରିଟି ତଥା କମିଶନରେଟ ପୋଲିସ ଭୁବନେଶ୍ଵର-କଟକର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ନିଆରା ପ୍ରକ୍ରିୟାରେ ଲୋକଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ସଚେତନ କରିଥିଲେ ‘ଜୟ ଓଡ଼ିଶା’ର ସଦସ୍ୟମାନେ । ମୃତ୍ୟୁଦେବ ଯମରାଜାଙ୍କ ବେଶ ଧାରଣ କରି ଭୁବନେଶ୍ୱରର କିଛି ଟ୍ରାଫିକ ପୋଷ୍ଟ ନିକଟରେ ଉପସ୍ଥିତ ରହି ଟ୍ରାଫିକ ନିୟମ ଉଲଙ୍ଘନ କରୁଥିବା ଚାଳକମାନଙ୍କୁ ସଡ଼କ ସୁରକ୍ଷା ନିୟମ ସମ୍ବନ୍ଧରେ ଅବଗତ କରାଇବା ସହ ଏହି ନିୟମ ଗୁଡିକ ନ ମାନିଲେ ଏହାର ପରିଣାମ ସମ୍ବନ୍ଧରେ ମଧ୍ୟ ବୁଝାଇଥିଲେ । ଏହା ସହ ଅନ୍ୟାନ୍ୟ ସମସ୍ତ ଚାଳକଙ୍କୁ ସମସ୍ତ ଟ୍ରାଫିକ ନିୟମ ଉଲ୍ଲେଖ ଥିବା ଲିଫ୍ଲେଟ୍ ବଣ୍ଟନ କରିବା ସହ ଟ୍ରାଫିକ ନିୟମ ପାଳନ କରି ଗାଡ଼ି ଚାଳନା କରୁଥିବା ଚାଳକଙ୍କୁ ଚକୋଲେଟ ପ୍ରଦାନ କରିଥିଲେ । ‘ଜୟ ଓଡ଼ିଶା’ର ଏହି ପ୍ରୟାସ ନିଶ୍ଚୟ ସମସ୍ତ ଚାଳକଙ୍କୁ ପ୍ରଭାବିତ କରିବା ସହ ସମସ୍ତ ନିୟମ ମାନିବାକୁ ଉତ୍ସାହିତ କରିଥିବ ବୋଲି ବିଶ୍ୱାସ । ଏହି ସଚେତନତା କାର୍ଯ୍ୟକ୍ରମ ବୁଦ୍ଧିଜୀବୀ ମହଲରେ ଖୁବ ପ୍ରଶଂସା ସାଉଣ୍ଟିଛି । ସଡ଼କ ସୁରକ୍ଷା, ଜୀବନ ରକ୍ଷା । ଏଣୁ ସଡ଼କ ସୁରକ୍ଷା ନିୟମ ମାନିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଉଚିତ୍ । ଅଧିକାଂଶ ଲୋକ ନିୟମ ମାନି ଗାଡ଼ି ଚାଳନା କରୁଥିବା ବେଳେ କିଛି ଲୋକ ଏହି ନିୟମ ଗୁଡ଼ିକୁ ଅଣଦେଖା କରିଥାନ୍ତି । ତେଣୁ ସମସ୍ତଙ୍କୁ ଟ୍ରାଫିକ ନିୟମ ମାନିବାକୁ ସଚେତନ କରିବାର ବାର୍ତ୍ତା ଦେବା ନିମନ୍ତେ ଏହା ଏକ ପ୍ରାଥମିକ ପ୍ରୟାସ ବୋଲି ‘ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କରିଛନ୍ତି ।

Leave A Reply

Your email address will not be published.

error: Content is protected !!