ବଲାଙ୍ଗିର, (କେପିଏନ୍ଏସ୍) : କେବଳ ପ୍ରଶାସନ ନୁହେଁ, ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ଆୟୋଜିତ “ମାସିକ ରଚନା ସନ୍ଧ୍ୟା’ କାର୍ୟ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ପି.ପି ଏକାଡେମୀ ସଭାକକ୍ଷରେ ଅନୁଷ୍ଠାନର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ “ସବୁଜ ଓ ସ୍ୱଚ୍ଛ ବଲାଙ୍ଗିର ଆମ ଦାୟିତ୍ଵ” ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ବକ୍ତାଭାବରେ ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ, ପରିବେଶ କର୍ମୀ ସୁଶୋଭିତା ଗୁରୁ, ଆଇନଜୀବୀ ଶୁଭ୍ରାଂଶୁ ଶେଖର ପଣ୍ଡା ଓ ସମାଜସେବୀ ଅରୁଣ ମିଶ୍ର ଅତିଥି ବକ୍ତାଭାବରେ ଯୋଗଦେଇ ନିଜ ପ୍ରିୟ ସହରକୁ ସବୁଜ ଓ ସ୍ୱଚ୍ଛ ରଖିବା ପାଇଁ ଆମର କଣ ଦାୟିତ୍ୱ ରହିଛି ଏବଂ ଏଥି ପ୍ରତି ଆମେ କେତେ ସଚେତନ, ପ୍ରଶାସନ କଣ ସବୁ ପଦକ୍ଷେପ ନେଉଛି ଓ ଆଗକୁ କଣ ପଦକ୍ଷେପ ନେବାର ଅଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଆମେ ନିଜ ଘର ଅଳିଆ ଆବର୍ଜନା ଘର ସାମ୍ନା ନାଳରେ ନ ପକାଇ ମଇଳା ସଂଗ୍ରହ ଗାଡିକୁ ଦେବା ଏବଂ ସହରର ବିଭିନ୍ନ ସ୍ଥାନରେ ମିଳିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ‘ରଚନା’ର ସମ୍ପାଦକ ଭାଗୀରଥି ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥି ବକ୍ତାମାନଙ୍କ ବକ୍ତବ୍ୟ ପରେ ଅନୁଷ୍ଠିତ ମତ ବିନିମୟ କାର୍ଯ୍ୟକ୍ରମରେ ଶିକ୍ଷାବିତ ମନୋରଞ୍ଜନ ସାହୁ, ସାମ୍ବାଦିକ ପୂର୍ଣ୍ଣିଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ଅମ୍ବରୀଶ ସରାଫ, ସମାଜସେବୀ ରଶ୍ମି ପାତ୍ର, କବି ସସ୍ମିତା ନେପାକ ଓ ଅଧ୍ୟାପକ ଜଗନ୍ନାଥ ସାହୁ ନିଜ ନିଜ ମତ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ‘ରଚନା’ର ସହ ସମ୍ପାଦକ ରତ୍ନମୟ ତ୍ରିପାଠୀ । ଏଥିରେ ସହରର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ସଚେତନ ନାଗରିକ ଉପସ୍ଥିତ ରହି ‘ରଚନା’ର ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ ।