
ବଙ୍ଗୋମୁଣ୍ଡା, (ମନୀଷ କମୁାର ହଂସ) : ସଧବାଙ୍କ ଶ୍ରେଷ୍ଠ ବ୍ରତ ସାବିତ୍ରୀ ଆଜି ସାରା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଂଚଳର ପୁରପଲ୍ଲୀରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି । କରୋନା ସଂଙ୍କଟ ଯୋଗୁଁ ପୂର୍ବପରି ପଡା ଯାକର ମହିଳା ମାନେ ଏକାଠି ମଠ, ମନ୍ଦିର କିମ୍ବା ମଣ୍ଡପରେ ଏହି ବ୍ରତ ପାଳନ ନ କରି ନିଜ ନିଜ ଗୋଷ୍ଠୀକୁ ନେଇ ଭିନ୍ନ ଭିନ୍ନ ଭାବରେ ଘରର ତୁଲସୀ ଚଉରା ମୂଳରେ ପାଳନ କରିଥିବା ଦେଖାଯାଇଥିଲା । ଓଡିଆ ଗୃହଣୀ ଆଜି ସ୍ୱାମୀର ଦୀର୍ଘ ଜୀବନ କାମନା କରି ପାଳନ କରିଛି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ହେଉଛି ଖାଣ୍ଟି ଓଡିଆ ବ୍ରତ । ବଙ୍ଗୋମୁଣ୍ଡା ଅଂଚଳର ପୁରପଲ୍ଲୀରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଛନ୍ତି ସଧବା ରମଣୀ ମାନେ । ସତୀ, ସ୍ୱାଧୀ, ପତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ କରିବା ଏହି ବ୍ରତର ମୂଳ ଲକ୍ଷ । ସାବିତ୍ରୀ ବ୍ରତ ପାଳନ କରି ନାରୀ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଥାଏ । ସାବିତ୍ରୀ ବ୍ରତ କଥାରେ ଉଲ୍ଲେଖ ରହିଛି ଯେ ଜ୍ୟୋଷ୍ଠ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ନାମ ସ୍ମରଣ କରି ଯେଉଁ ନାରୀ ପବିତ୍ର ମନରେ ସାବିତ୍ରୀ ବ୍ରତ କରିବ ସେ ନାରୀ ଜନ୍ମେ ଜନ୍ମେ ସଧବା ରହିବ । ଏହାସହ ପତି ପରାୟଣ ହୋଇ ପୁତ୍ରବତୀ, ଧନବତୀ ହେବ ଓ ଅନ୍ତିମ ସମୟରେ ବୈକୁଣ୍ଠ ଗମନ କରିବ । ଏହି ବିଶ୍ୱାସକୁ ନେଇ ଓଡିଶାର ବିଭିନ୍ନ ପ୍ରାନ୍ତରେ ପାଳିତ ହୋଇଛି ଏହି ମହାନ ପର୍ବ । ଅଂଚଳରେ ଉତ୍ସବ ମୁଖର ମାହୋଲ ଥିବା ଦେଖିବାକୁ ମିଳିିଛି ।