ଅବିନାଶ ହେଲେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ସଭାପତି ଭାବରେ ପଶ୍ଚିମ ଓଡ଼ିଶାର ଜଣେ ଚର୍ଚ୍ଚିତ ଛାତ୍ର ନେତା ତଥା ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁରଙ୍କୁ ନିଯୁକ୍ତି ଦିଆଯାଇଛି । ଜଣେ ସୁବକ୍ତା ଭାବରେ ପରିଚିତ ଅବିନାଶ କଲେଜ ସମୟରୁ ନେତୃତ୍ୱ ନେଇ ଆସୁଛନ୍ତି । ୨୦୦୮-୯ ମସିହାରେ ସେ ଭବାନୀପାଟଣା ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ପରେ ବିଜେଡିରେ ସାମିଲ ହୋଇ ବିଜୁ ଛାତ୍ର ଜନତା ଦଳର ଲଗାତାର ୩ଥର ଜିଲ୍ଲା ସଭାପତି ହେବାପରେ ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ପଦବୀ ଦିଆଯାଇଥିଲା । ସେ ପଶ୍ଚିମ ଓଡ଼ିଶାର ଛାତ୍ର ନେତୃତ୍ୱ ନେବା ସହ ଦଳର ବିଭିନ୍ନ ପଦ ପଦବୀରେ ରହି ଆସୁଥିଲେ । ଏପରିକି ବିଜେଡି ସରକାର ସମୟରେ ତାଙ୍କ ଦଳ ପ୍ରତି ଆନୁଗତ୍ୟ ଓ ବଳିଷ୍ଠ ନେତୃତ୍ୱ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଭାବରେ ନିଯୁକ୍ତି ମିଳିଥିଲା । ପୂର୍ବରୁ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ ୨ଥର ଜିଲ୍ଲା ଯୁବ ବିଜେଡି ସଭାପତି ଦାୟିତ୍ୱ ତୁଳାଇଥିଲେ । ଏଥର ଦଳ ଅବିନାଶ ଭଳି ଜଣେ ଯୁବ ଚେହେରାଙ୍କୁ ଜିଲ୍ଲା ଯୁବ ବିଜେଡି ସଭାପତି ନିଯୁକ୍ତି ଦେଇ ଏକ ଭିନ୍ନ ବାର୍ତ୍ତା ଦେଇଛି । ଜିଲ୍ଲା ଯୁବ ସଭାପତି ଭାବେ ଘୋଷଣା କରାଯିବା ପରେ ନବନିଯୁକ୍ତ କଳାହାଣ୍ଡି ଜିଲ୍ଲା ଯୁବ ସଭାପତି ଅବିନାଶ ଠାକୁରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.