୧୧ରେ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ମୋଦି : ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ବିଜେପି ସଭାପତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୧୧ ତାରିଖ ଦିନ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଥରଚେପା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା ୧୧ ତାରିଖ ଦିନ ସାଢେ଼ ୧୧ଟା ସମୟରେ ପଥରଚେପା ସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ରହିଥିବା ସଭାସ୍ଥଳରୁ ଲକ୍ଷାଧିକ ଲୋକଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଜିଲ୍ଲା ବିଜେପି ପକ୍ଷରୁ ଯଥେଷ୍ଟ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ବିଜେପି ସଭାପତି ଶ୍ରୀ ମହାନ୍ତି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିବା ବେଳେ ଗାଡ଼ି ପାର୍କିଂ ପାଇଁ ମଧ୍ୟ ସୁବନ୍ଦୋବସ୍ତ କରାଯାଇଥିବା ସୂଚନା ଦିଆଯାଇଛି । ସେ କହିଛନ୍ତି ଯେ, ବଲାଙ୍ଗିର ସଂସଦ କ୍ଷେତ୍ରର ୭ଟି ଯାକ ବିଧାନସଭା କ୍ଷେତ୍ରରୁ ଲକ୍ଷ ଲକ୍ଷ ଲୋକ ସେଦିନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି କୁହାଯାଇଥିବା ବେଳେ ନରେନ୍ଦ୍ର ମୋଦିଙ୍କ ପ୍ରଭାବରେ ବଲାଙ୍ଗିର ସାଂସଦ ଆସନ ସହ ୭ଟି ଯାକ ବିଧାୟକ ଆସନରେ ବିଜେପି ବିଜୟୀ ହେବ ବୋଲି ସଭାପତି ଶ୍ରୀ ମହାନ୍ତି ଆଶାବ୍ୟକ୍ତ କରିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଦନଗଡ଼ରେ ପ୍ରାର୍ଥୀ ହୋଇଥିବା ବେଳେ ଜଣେ ସାଧାରଣ ଚାଷୀ ବିଜେପି ଦଳର କଂଟାବାଂଜି ପ୍ରାର୍ଥୀ ଲକ୍ଷ୍ମଣ ବାଗ ତାଙ୍କୁ ପରାଜିତ କରିବା ପାଇଁ ଅଂଟାଭିଡ଼ି ସାରିଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ।

jittmm
Leave A Reply

Your email address will not be published.