ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ରେଡ ବନମାଳି ଧୁପାଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଅଲଇଣ୍ଡିଆ ଓମେନ ଆଣ୍ଡ ଚାଇଲ୍ଡ ୱେଲଫେୟାର ଆସୋସିଏସନ୍ (ଏଆଇଡବ୍ଲୁସିଡବ୍ଲୁଏ) ଓ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସ)ର ମିଳିତ ଆନୁକୂଲ୍ୟରେ କମ୍ରେଡ ବନମାଳି ଧୁପାଳଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଓ ସ୍ମୃତି ଚାରଣ ସଭା ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ସିଟୁର କେନ୍ଦ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ଏଆଇଡବ୍ଲୁସିଡବ୍ଲୁଏର ମୁଖ୍ୟ ଡଃ ମଧୁସ୍ମିତା ଧୁପାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଣାଇର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଶିକ୍ଷାବିତ୍ ଡଃ କିଶୋରୀ ଦାଶ, ଡଃ ପ୍ରଭାତ ମଲ୍ଲିକ ଓ ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରୟାତ ଧୁପାଳଙ୍କ ଜୀବନୀ, ସଂଘର୍ଷ ଓ ଶ୍ରମିକ ଆନ୍ଦୋଳନରେ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇନଜୀବୀ ଚନ୍ଦ୍ରଭାନୁ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ ସହ ସ୍ୱାଗତ ଭାଷଣ ରଖିଥିଲେ । ଏହାପରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଡଃ ଧୁପାଳ ତାଙ୍କ ବାପା ସ୍ୱର୍ଗତ ଧୁପାଳଙ୍କୁ ଏକ ନୀତିନିଷ୍ଠ, କର୍ମ ପ୍ରତିବଦ୍ଧତା ଓ ସମାଜ ପାଇଁ ସମର୍ପିତ ପ୍ରାଣ ଥିଲେ ବୋଲି ଅବହିତ କରିବା ସହ ତାଙ୍କ ପ୍ରେରଣା ସମସ୍ତଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ମହାନ୍ତି ପ୍ରୟାତ ଧୁପାଳଙ୍କୁ ଭାଷା ଓ ଶ୍ରମିକ ଆନ୍ଦୋଳନର ଅନ୍ୟତମ ଯୋଦ୍ଧା ଭାବେ ଅବହିତ କରିବା ସହ ଅନ୍ୟାୟ, ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନର ସେ ପ୍ରମୁଖ କର୍ଣ୍ଣଧାର ବୋଲି କହିଥିଲେ । ଅତିଥି ବିଧାୟକ ଶ୍ରୀ ମୁଣ୍ଡା, ଡଃ ଦାଶ ଓ ଡଃ ମଲ୍ଲିକ ସ୍ୱର୍ଗତ ଧୁପାଳଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ସ୍ମୃତିଚାରଣ କରିବା ସହ ତାଙ୍କ ଆଦର୍ଶ ଅନୁକରଣୀୟ, ଆଦିବାସୀଙ୍କ ସ୍ୱର, ପ୍ରେମ ସମ୍ଭାବନା ଓ ସଂପ୍ରୀତିର ପ୍ରତୀକ ତଥା ସଂପର୍କର ସେତୁ ରୂପେ ଅବିହିତ କରିଥିଲେ । ସେ ମାର୍କ୍ସବାଦ୍କୁ ଭଲ ଭାବେ ବୁଝିଥିଲେ ବୋଲି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୃତ୍ୟୁ ପରେ ସମାଜର କଲ୍ୟାଣ ପାଇଁ ଅଙ୍ଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଦାନନ୍ଦ ସାହୁ, ଡାକ୍ତର ୟୁ ସି ଜେନା, ଡଃ ସଞ୍ଜୟ ହାତୀ ପ୍ରମୁଖ ସ୍ମୃତିଚାରଣ କରିଥିବା ବେଳେ କବି କୁଞ୍ଜବିହାରୀ ରାଉତ ପ୍ରୟାତ ଧୁପାଳଙ୍କ ସଂପର୍କରେ ଏକ ମାର୍ମିକ କବିତା ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ, ସତ୍ୟାନନ୍ଦ ବେହେରା, ସୁଜ୍ଞାନୀ ରାୟ, ଦେବ ପଟ୍ଟନାୟକ, ଦେବ ଗଡତିଆ, ପବନ ତିୱାରୀ, ଅବନୀ ମହାପାତ୍ର, ଅଶୋକ ଦାଶ, ସାହିତ୍ୟ କ୍ଷେତ୍ରରେ ଡଃ ସଞ୍ଜୟ ହାତୀ, ଡଃ କିଶୋରୀ ଦାଶ, ଡଃ ପ୍ରଭାତ ମଲ୍ଲିକ, ସମାଜସେବା କ୍ଷେତ୍ରରେ ଡାକ୍ତର ସନ୍ତୋଷ କୁମାର ସେଠୀ, ଡାକ୍ତର ଦିପ୍ତୀରଂଜନ ତ୍ରିପାଠୀ, ସଞ୍ଜୟ ସାମଲ, ଡି ଅଭିକ କୁମାରଙ୍କୁ ସ୍ମୃତି ଫଳକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଶେଷରେ ଡାକ୍ତର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଧୁପାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Prev Post
Next Post