ଅପରାହ୍ନ ସାହିତ୍ୟଝର ପକ୍ଷରୁ ସାହିତ୍ୟ ସଭା

  • ‘ଯୁଗେ ଯୁଗେ ସମ୍ବାଦପତ୍ରରେ ସୃଜନଶୀଳତା ଅଗ୍ରଣୀ ଭୂମିକା ଗ୍ରହଣ କରିଆସିଛି’

ରାଉରକେଲା, (ସସ୍ମିତା ପ୍ରଧାନ) : ସୁସ୍ଥ ସମାଜ ଗଠନ ନିମନ୍ତେ ଉଭୟ ସମ୍ବାଦପତ୍ର ଓ ସାହିତ୍ୟର ଗୁରୁତ୍ୱକୁ ଅସ୍ୱୀକାର କରି ହେବ ନାହିଁ ବୋଲି ବାଲେଶ୍ୱରରୁ ପ୍ରକାଶିତ ଦୈନିକ ଅପରାହ୍ନ ଖବରକାଗଜର ସୁନ୍ଦରଗଡ଼ ଜିଲ୍ଲା ସାହିତ୍ୟଝର ଆଲୋଚନା ସଭାରେ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସେକ୍ଟର-୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ଭବନରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷତା କରି ଅପରାହ୍ନର ସମ୍ପାଦକ ବଂଶୀଧର ଜେନା କହିଲେ ଯେ, ସମାଜରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ନିମନ୍ତେ ସାହିତ୍ୟକୁ ସମ୍ବାଦ ପତ୍ରରେ ପ୍ରମୁଖ ସ୍ଥାନ ଦିଆଯାଉଛି । ମୁଖ୍ୟବକ୍ତା ବିଶିଷ୍ଟ ଆଲୋଚିକା ଓ ଗବେଷିକା ଡଃ. ଅନ୍ତର୍ଜିତା ନାୟକ ‘ସମ୍ବାଦପତ୍ର ସଂସ୍କରଣରେ ସାମ୍ପ୍ରତିକ ସୃଜନ ସ୍ଵାକ୍ଷର’ ପ୍ରସଙ୍ଗ ଉପରେ କହିଲେ ଯେ, ସମ୍ବାଦ ପତ୍ରରେ ଲେଖା ମାଧ୍ୟମରେ ଦିଗଦର୍ଶନ ଦିଆ ଯାଇପାରେ । ଉଭୟ ସମ୍ବାଦପତ୍ର ଓ ସାହିତ୍ୟ ସାମାଜିକ ସମସ୍ୟାକୁ ଅଭିବ୍ୟକ୍ତ କରିବାର ମୁଖ୍ୟ ମାଧ୍ୟମ ହୋଇ ଥିବାରୁ ସମସ୍ୟାର ସମାଧାନ କ୍ଷେତ୍ରରେ ଏମାନେ ବଳିଷ୍ଠ ଆୟୁଧ ରୂପେ କାର୍ଯ୍ୟ କରିଥାନ୍ତି । ମାତ୍ର ସାମ୍ପ୍ରତିକ ସାହିତ୍ୟରେ ଲେଖା ଚୋରି ନେଇ ଡଃ. ନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ ଓ ଆଲୋଚକ ଡଃ. ଅଶ୍ୱିନୀ କୁମାର ରାୟ କହିଲେ ଯେ, ସମ୍ବାଦପତ୍ରରେ ପ୍ରକାଶିତ ସାରସ୍ଵତ ସୃଷ୍ଟି ପାଠକଙ୍କୁ ପ୍ରାଣବନ୍ତ କରେ । ସମ୍ବାଦ ପତ୍ରରେ ସୃଜନଶୀଳତା ରୂପ, ରସ ଓ ଛନ୍ଦର ମିଳନ ଘଟାଇପାରେ ବୋଲି ଡଃ. ରାୟ ପ୍ରକାଶ କରିଥିଲେ । ସମ୍ମାନିତ ବକ୍ତା ବରିଷ୍ଠ ସାହିତ୍ୟିକ ଓ ରାଉରକେଲା ସମ୍ବାଦ ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା କହିଲେ ଯେ, ସାହିତ୍ୟ ସଦାକାଳେ ସାମାଜିକ ଚେତନା ସହିତ ବ୍ୟକ୍ତିକୁ ଯୋଡ଼ିଥାଏ । ସାହିତ୍ୟ ଓ ସମ୍ବାଦ ପତ୍ର ଉଭୟ ପରିପୂରକ । ବିବେକାନନୁମୋଦିତ କାର୍ଯ୍ୟ ପାଇଁ ଉଭୟ ଅନୁପ୍ରେରିତ କରନ୍ତି ଓ କଳା, ସଂସ୍କୃତିର କଥା କହନ୍ତି ବୋଲି ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ । ସ୍ୱତନ୍ତ୍ର ଅତିଥି ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦାସ ସମ୍ବାଦ ପତ୍ର ଓ ସାହିତ୍ୟର ସମନ୍ଵୟ ଉପରେ ଆଲୋକପାତ କରିଥିଲେ । ସଭା ଆରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ ସହିତ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଅପରାହ୍ନର ସୁନ୍ଦରଗଡ଼ ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଆବାହକ କବି ସୁଶାନ୍ତ କୁମାର ନାୟକ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ପ୍ରଥମ ସୋପାନରେ ବରିଷ୍ଠ ସାହିତ୍ୟିକ ମନୋଜ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ କବି ପଣ୍ଡିତ ତ୍ରୈଲୋକ୍ୟନାଥ ମହାପାତ୍ର, କବି ସବିତା ପରିଡ଼ା ଓ କବି ରିନାରାଣୀ ସ୍ଵାଇଁ ସଂଯୋଜନା କରିଥିଲେ । କବିତା ପାଠ କରିଥିବା ୪୭ ଜଣ କବିଙ୍କୁ ସ୍ୱୀକୃତିପତ୍ର ପ୍ରଦାନ କରାଯାଇଥିଲା । ଏହା ଛଡା ଅପରାହ୍ନ ସମ୍ପାଦକ ଓ ପରିଚାଳନା ସାମ୍ବାଦିକଙ୍କୁ ସାହିତ୍ୟ ଝର ତରଫରୁ ସାରସ୍ଵତ ଯୁଗଳ ବନ୍ଦୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ବେଳେ ଶ୍ରୁତିଶ୍ରୀ ଜେନା ଓ ସନ୍ତୋଷ କୁମାର ସାବତ, ବାସନ୍ତୀ ପୃଷେଠ, ବିଜୟ କୁମାର ସାହୁ, ସତ୍ୟବ୍ରତ ଦାସ, ଶଙ୍କରୀ ବାରିକ, ତ୍ରୈଲୋକ୍ୟନାଥ ମହାପାତ୍ର, ସୁଶ୍ରୀ ସାନଭି ଚୋବେ, ସବିତା ପରିଡ଼ା, ମନୋରଞ୍ଜନ କଣ୍ଟା, ତୀର୍ଥବାସୀ ପଟେଲ, ରୂପାନନ୍ଦ ଜୟପୁରୀଆ, ଭଜନ ଦିହିରିଆ, ବିଷୟା ଗନ୍ଧା, କବି ସୁଶାନ୍ତ କୁମାର ନାୟକଙ୍କୁ ସମ୍ଵର୍ଦ୍ଧିତ କରାଯାଇଥିଲା । କବି ବିଜୟ କୁମାର ମିଶ୍ର ଓ ଶୁଚିତ୍ସ୍ମିତା ପଣ୍ଡା ମାନପତ୍ର ପାଠ କରିଥିଲେ । ଶେଷରେ କବି ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.