ଲେବଡା କ୍ଲଷ୍ଟରରେ ଆସ ସ୍କୁଲ୍ ଯିବା ଅଭିଯାନ ଅନ୍ତର୍ଗତ ଶିକ୍ଷା ସଭା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା କ୍ଳଷ୍ଟର ଅଧିନସ୍ଥ ବଡ଼ଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାରୁ ବଞ୍ଚିତ ଓ ବିଦ୍ୟାଳୟ ଛାଡ଼ିଥିବା ୬ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ ପୁନଃ ବିଦ୍ୟାଳୟଭିମୁଖୀ କରିବା ଉଦ୍ଦେଶ୍ୟରେ “ଆସ ସ୍କୁଲ୍ ଯିବା” ଅଭିଯାନ ଅନ୍ତର୍ଗତ ଏକ ଶିକ୍ଷା ସଭା ସଫଳତାର ସହ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଲେବଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପଦ୍ମଲୋଚନ ତାଣ୍ଡିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ନିରୁପମା ଗହିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର ଗୁରୁତ୍ୱ ଓ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି ଭାବେ ବଡ଼ଉଡ଼ାର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ବେହେରା, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଅଲେଖ ଭୋଇ, ସିରୋଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ହଳଦୀ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯାଜ୍ଞସେନୀ ଜେନା, ଦେଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ହରପାଲ୍, ଏସ୍‌ଆଇଓଏସ୍‌ ସଂଯୋଜକ ମନୋଜ କୁମାର ସ୍ୱାଇଁ ଓ ପଙ୍ଗନିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରୁଣସିଂ ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ମଞ୍ଚାସୀନ ଅତିଥିମାନେ ବିଦ୍ୟାଳୟ ଛାଡ଼ିଥିବା ଶିଶୁମାନଙ୍କୁ ପୁନଃ ମୁଖ୍ୟଧାରା ଶିକ୍ଷା ସହ ଯୋଡ଼ିବା, ଏସ୍‌ଆଇଓଏସ୍‌ ଓ ଏନ୍‌ଆଇଓଏସ୍‌ ମାଧ୍ୟମରେ ନାମ ଲେଖା, ସରକାରୀ ଶିକ୍ଷା ସୁବିଧା ଓ ଅଭିଭାବକଙ୍କ ଭୂମିକା ବିଷୟରେ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ବଡ଼ଉଡ଼ାର ବିଦ୍ୟାଳୟର ସହକାରୀ ଶିକ୍ଷକ କୁମୁଦ ବିହାରୀ ବେଦବାକ୍ ନିଜସ୍ଵ ରଚନାରୁ “ଆସ ସ୍କୁଲ୍ ଯିବା” ଉପରେ ଆଧାରିତ ଏକ ସଚେତନତାମୂଳକ ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ସୁନ୍ଦର ଭାବେ ପରିବେଷଣ କରି ସମସ୍ତଙ୍କୁ ଏକ ପ୍ରେରଣାମୂଳକ ବାର୍ତ୍ତା ଦେଇଥିଲେ । ଏହି ଶିକ୍ଷା ସଭାରେ ୧୦୦ରୁ ଅଧିକ ମାତାପିତା, ଅଭିଭାବକ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ । ଅଧାରୁ ପାଠ ଛାଡ଼ିଥିବା ତାଲିକାରେ ମୋଟ ୯୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପ୍ରଚେଷ୍ଟା ବଳରେ ମୋଟ ୨୫ ଜଣ ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଇଥିଲା । କ୍ଲଷ୍ଟର ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶେଷରେ ଶିକ୍ଷକ ବିନୟ କୁମାର ଅଗସ୍ତି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.