
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ପି.ଆର. ହାଇସ୍କୁଲ ବଲାଙ୍ଗିରଠାରେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱରେ ବଲାଙ୍ଗିର ଜିଲ୍ଲାର ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଏ୧ ମେଧାବୀ ଛାତ୍ରମାନଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଧାବୀ ଛାତ୍ରମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଧର୍ଯ୍ୟ ଓ ଶୃଙ୍ଖଳା କୃତକାର୍ଯ୍ୟର ଚାବିକାଠି ବୋଲି ମତ ପୋଷଣ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନାଗ ମେଧାବୀ ଛାତ୍ରମାନଙ୍କୁ ଉତ୍ସାହିତ କରିବା ସହିତ ବାରମ୍ବାର ଅଭ୍ୟାସ ଦ୍ୱାରା କାର୍ଯ୍ୟ ସିଦ୍ଧି ହୁଏ ବୋଲି ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସେବା ଶ୍ରୀ ଭୋଇ ଆଗକୁ ବଲାଙ୍ଗିର ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି ଆଣିବ ବୋଲି ଆଶା ପୋଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପି.ଆର. ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷିନୀ ସେଠି ମେଧାବୀ ଛାତ୍ରମାନେ ଭବିଷ୍ୟତରେ ଜଣେ ଆଦର୍ଶ ଛାତ୍ର ତଥା ବଲାଙ୍ଗିର ଜିଲ୍ଲାର ଗୌରବ ଆଣିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ନବଘନ ସାହୁ, ବଲାଙ୍ଗିର ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ପ୍ରଦୀପ କୁମାର ପାତ୍ର ମଂଚାସିନ ଥିଲେ । ସଭା ପ୍ରାରମ୍ଭରେ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର କଦମପଡା ବଲାଙ୍ଗିରର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ପି.ଆର. ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ବିକାଶ ରଂଜନ ସାହୁ ସଭା ସଂଯୋଜନା କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୀନା କୁମାରୀ ବେହେରା କୃତି ଛାତ୍ରଛାତ୍ରୀମାନଙ୍କର ଉଜ୍ୱଳ ତଥା ସଫଳ ଭବିଷ୍ୟତ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।