ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ : ନାବାଳିକା ଝିଅକୁ ବଧୂ ବେଶରେ ସଜାଇ ବିକୁଥିଲା ସାବତ ବାପା, ଥାନାରେ ୪ ଅଟକ

ପାଟଣାଗଡ଼, (ସଦାଶିବ ସରାଫ୍‌) : ଅର୍ଥ ଲୋଭରେ ନାବାଳିକା ଝିଅକୁ ସାବତ ବାପା ରାଜସ୍ଥାନ ଚାଲାଣ କରୁଥିଲା । ଜଣେ ମହିଳା ମଧ୍ୟସ୍ଥିଙ୍କ ଜରିଆରେ ଝିଅକୁ ଚାଲାଣ ପାଇଁ ୫୦ ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଝିଅକୁ ବଧୂବେଶରେ ସଜାଇ କଣ୍ଟାବାଞ୍ଜି ରେଳଷ୍ଟେସନରେ ପହଞ୍ଚି ଥିଲା । କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ପହଂଚି ପଚରା ଉଚରା କରିବା ସହ ବଧୂ ବେଶରେ ସଜ୍ଜିତ ଝିଅଟି ନାବାଳିକା ହୋଇଥିବା ଏବଂ ତାଙ୍କୁ ରାଜସ୍ଥାନ ଚାଲାଣ କରୁଥିବା ଜଣାପଡିଥିଲା । ପରେ କଣ୍ଟାବାଞ୍ଜି ରେଳବାଇ ପୋଲିସ ଉକ୍ତ ନାବାଳିକାକୁ ନିଜ ହେପାଜତରେ ରଖିଥିବା ବେଳେ ମହିଳା ମଧ୍ୟସ୍ଥି ଓ ସାବତ ବାପା ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖିଛି । ଏହି ଘଟଣା ଏବେ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଘସିଏନ୍‌ ଗାଁରେ ରହନ୍ତି କୈଳାସ ସାହୁ । ତାଙ୍କର ନବମ ଶ୍ରେଣୀ ପଢ଼ୁଥିବା ସାବତ ଝିଅକୁ ବିବାହ ପ୍ରଲୋଭନ ଦେଖାଇବା ସହ ରାଜସ୍ଥାନରେ ବିକ୍ରି ପାଇଁ ଉଦ୍ୟମ କରିଥିଲା । ଏଥିପାଇଁ ପୂର୍ବରୁ ପରିଚିତ ଥିବା ଅର୍ଥାତ୍‌ ରାଜସ୍ଥାନରେ ବିବାହ କରିଥିବା ବେଲପଡା ବ୍ଲକର ଜଣେ ମହିଳା ସହ ତା’ର ଯୋଗାଯୋଗ ହୋଇଥିଲା । ଝିଅକୁ ରାଜାସ୍ଥାନ ପଠାଇବାକୁ କୈଳାସ ୫୦ ହଜାର ଟଙ୍କା ଅଗ୍ରୀମ ନେଇଥିଲା । ଚୁକ୍ତି ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କ ସହ ରାଜସ୍ଥାନର ତିନି ଜଣ ପୁରୁଷ କୈଳାସଙ୍କ ଘରେ ପହଂଚି ନାବାଳିକାଙ୍କ ଅନିଚ୍ଛା ସତ୍ତ୍ୱେ ସେମାନେ ନାବାଳିକାଙ୍କୁ ବଧୂବେଶରେ ସଜାଇ ରାତିରେ ଏକ ଗାଡିରେ କଣ୍ଟାବାଞ୍ଜି ରେଳଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ କେତେକ ଯୁବକ ସେମାନଙ୍କୁ ଦେଖି ସନ୍ଦେହ କରିଥିଲେ । ଏହା ଦେଖି ରାଜସ୍ଥାନର ଯୁବକମାନେ ଖସି ପଳାଉଥିବା ବେଳେ ରେଳବାଇ ପୋଲିସ ସେମାନଙ୍କୁ ଧରି ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.