ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣା : ୪୮ ଘଣ୍ଟା ପରେ ଶବ ସତ୍କାର ପାଇଁ ରାଜି ହେଲେ ପରିବାର

ବରଗଡ଼, (ସତ୍ୟନାୟଣ ପ୍ରଧାନ) : ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ଠାରେ ଆଜି ଦୀର୍ଘ ଚାରିଘଣ୍ଟା ଧରି ଆଲୋଚନା ହେବା ପରେ ବରଗଡ଼ ଟାଉନ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତ ଯୁବକଙ୍କ ଅନ୍ତିମ ସତ୍କାର ପାଇଁ ୪୮ ଘଣ୍ଟା ପରେ ପରିବାର ଲୋକେ ରାଜି ହୋଇଛନ୍ତି । ବରଗଡ଼ ପୋଲିସର ଅନୁରୋଧ କ୍ରମେ ଆଜି ୪୨ଟି ଦଳିତ ସଂଙ୍ଗଠନ ନେଇ ଗଠିତ ବହୁଜନ ମିଳିତ ମଂଚର ପ୍ରାୟ କୋଡିଏ ଜଣିଆ ପ୍ରତିନିଧି ଦଳ ପୋଲିସ ପ୍ରଶାସନ ସହିତ ଆଲୋଚନା କରିଛନ୍ତି । କେଉଁ କାରଣରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଲା, ଏଥିରେ କେଉଁମାନେ ସଂପୃକ୍ତ, ଦୋଷୀ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯାଇଛି, ମୃତକଙ୍କ ପରିବାର କ୍ଷତିପୂରଣ ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ । ପଶ୍ଚିମାଞ୍ଚଳ ଡିଆଇଜି ଜୟନାରାୟଣ ପଙ୍କଜ, ବରଗଡ଼ ଏସ୍‌ପି ରାହୁଲ ଜୈନ ତଥା ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଉପସ୍ଥିତ ଥିଲେ । ବହୁଜନ ମିଳିତ ମଂଚ ପକ୍ଷରୁ ବାଲ କିଶୋର ଛତର, ପଦ୍ମାଳୟା ଦୀପ, ଗୋପବନ୍ଧୁ ଶିକା, ପୂର୍ଣ୍ଣଚନ୍ଦ୍ର ପାଇକ, ଲକ୍ଷ୍ମଣ ସୁନା, ନାରାୟଣ ଭେସ୍ରା, ସୁରେଖା ଭୋଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଘଟଣାରେ ଟାଉନ ଥାନାରେ କାର୍ଯ୍ୟରତ ଚାରିଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସେମାନଙ୍କୁ ତାଙ୍କର ଡିଉଟିରୁ ଅପସାରଣ କରାଯାଇ ଲାଇନ ହାଜିରା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ସହିତ ଆଲୋଚନା ପରେ ଡିଆଇଜିଙ୍କ ଅନୁରୋଧ କ୍ରମେ ତୋରା ଗ୍ରାମରେ ମୃତକଙ୍କ ଅନ୍ତିମ ସତ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି ।

Leave A Reply

Your email address will not be published.