oum

ସ୍ତ୍ରୀର ଶବ ଉପରେ ଜିରୋ ନାଇଟ ପାଳନ କଲା ସ୍ୱାମୀ

jsm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ନୂଆ ବର୍ଷରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଜିରୋ ନାଇଟ ପାଳନ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଜଣାପଡ଼ିବା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ସିଏଚ୍‌ ଲକ୍ଷ୍ମଣ ରେଡିଙ୍କୁ ଗିରଫ କରିଛି । ମୃତ ଜାନକୀ ରେଡ଼ିଙ୍କ ଶବ ବ୍ୟବଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇ ଅଧିକ ତଦନ୍ତ ଜାରି ରଖିଛି ହୁମା ଫାଣ୍ଡି ପୋଲିସ । ଏଭଳି ଘଟଣା ରମ୍ଭାଥାନା ହୁମା ଫାଣ୍ଡି ଅନ୍ତର୍ଗତ ମୟୁର ପଦା ଗ୍ରାମରେ ଘଟିଥିବା ଜଣାପଡିଛି । ମିଳିଥିବା ତଥ୍ୟ ଅନୁଯାୟୀ ମୟୁରପଦା ଗ୍ରାମର ଲକ୍ଷ୍ମଣ ୧୭ ବର୍ଷ ପୂର୍ବେ ବେଣୀ ଗୌରୀ ଗ୍ରାମର ରଘୁନାଥ ରେଡ଼ିଙ୍କ ଝିଅ ଜାନକୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଲକ୍ଷ୍ମଣ ଜଣେ ଡ୍ରାଇଭର ଏବଂ ସେ ବାହାର ରାଜ୍ୟରେ ଗାଡି ଚଳାଉଥିଲେ ଆଠ ଦିନ ହେବ ଗାଁକୁ ଆସି ଏହି କାଣ୍ଡ ଘଟାଇ ଥିବା ଜଣାପଡିଛି । ବିବାହ ପରଠାରୁ ଅଧିକ ଯୌତୁକ ଦାବୀରେ ସ୍ତ୍ରୀ ଜାନକୀଙ୍କୁ ଲକ୍ଷ୍ମଣ ପ୍ରାୟ ସମୟରେ ମାରଧର କରୁଥିବା ଏବଂ ସବୁବେଳେ ସ୍ୱାମୀ ସ୍ତ୍ରୀ ଝଗଡା ଲାଗୁଥିବା ଗ୍ରାମବାସୀ କହିଛନ୍ତି । ଗତକାଲି ଅଭିଯୁକ୍ତ ଲକ୍ଷ୍ମଣ ପ୍ରଚୁର ମଦ୍ୟପାନ କରି ଘରକୁ ଆସି ସ୍ତ୍ରୀ ସହ ଝଗଡା କରିଥିଲା । ବାପା ମା’ର ଝଗଡା ଦେଖି ଝିଅ ଜୟନ୍ତୀ(୧୪ ବର୍ଷ) ଓ ପୁଅ ନରସିଂହ (୯ ବର୍ଷ) ସେହି ଗ୍ରାମର ନିଜ ପିଉସୀ ଘରକୁ ଶୋଇବାକୁ ଚାଲି ଯାଇଥିଲେ । ଫଳରେ ଜାନକୀ ଏକା ଘରେ ଶୋଇଥିଲେ । ଏହାର ସୁଯୋଗରେ ସ୍ତ୍ରୀ ଶୋଇ ପଡିବା ପରେ ଏକ ଲୁହାରଡ ସାହାର୍ଯ୍ୟରେ ବେକକୁ ମାଡି ବସି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ହତ୍ୟା କରିବା ପରେ ଗାଁ ପିଲାଙ୍କ ସହ ଜିରୋ ନାଇଟ ପାଳନ କରିଥିଲେ ଅଭିଯୁକ୍ତ ଲକ୍ଷ୍ମଣ । ନିଶା ଛାଡିବା ପରେ ପାହାନ୍ତିଆରେ ଘରକୁ ଯାଇ ଲକ୍ଷ୍ମଣ ଓ ତାଙ୍କ ମା’ ମିଶି ଏକ ଅଟୋରେ ମୃତ ଜାନକୀକୁ ଛତ୍ରପୁର ମେଡିକାଲ ନେଇଥିଲେ । ଡାକ୍ତର ପୂର୍ବରୁ ମରି ଯାଇଥିବା ଜାନକୀକୁ ଦେଖି ସଙ୍ଗେ ସଙ୍ଗେ ହୁମା ଫାଣ୍ଡି ପୋଲିସକୁ ଜଣାଇଥିଲେ । ଖବର ପାଇ ହୁମା ଫାଣ୍ଡି ଅଧିକାରୀ ପ୍ରିୟଦର୍ଶୀ ମୟୁରପଦା ଗ୍ରାମକୁ ଯାଇ ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମକୁ ଅବଗତ କରିଥିଲେ । ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳକୁ ଯାଇ ବିଭିନ୍ନ ଦିଗକୁ ନେଇ ତଥ୍ୟ ହାସଲ କରିଛି । ମୃତ ଜାନକୀଙ୍କ ବେକରେ ଏକ ଚିହ୍ନ ଥିବା ଏବଂ ଆଖି ପତା ନୀଳ ପଡି ଯାଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯୋଗ୍ୟ ଯେ, ଝିଅ ଜୟନ୍ତୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ପୁଅ ନରସିଂହ ଚତୃର୍ଥ ଶ୍ରେଣୀରେ ପଢୁଛନ୍ତି । ଉକ୍ତ ଘଟଣା ସେହି ଗ୍ରାମରେ ପ୍ରଥମ ଘଟଣା ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.