ବରଗଡ଼, (ନିରୋଜ କୁମାର ପାଣୀ) : ଖରା ବର୍ଷା ହେଉ ଅବା ଶୀତ ହେଉ ସଂକଳ୍ପ ପରିବାର ସବୁବେଳେ ତତ୍ପର ରହିଥାଏ ଅସହାୟର ସେବାରେ । ଆଜି ପ୍ରବଳ ବର୍ଷା ସତ୍ୱେ ସଂକଳ୍ପ ପରିବାରର ସଦସ୍ୟମାନେ ଅଚିହ୍ନା ଶବକୁ ସସମ୍ମାନେ ସତ୍କାର କରିଛନ୍ତି । ୭୨ ଘଣ୍ଟା ଧରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟର ଶବ ସଂରକ୍ଷଣ ଗୃହରେ ରହିଥିବା ଅସହାୟ ବୃଦ୍ଧଙ୍କ ଶବକୁ କୌଣସି ପରିଜନ ନେବାପାଇଁ ଆସି ନ ଥିବା ବେଳେ ଅଚିହ୍ନା ଶବକୁ ଆପଣାଇଥିଲା ସଂକଲ୍ପ ପରିବାର ଏବଂ ସସମ୍ମାନେ ଶବକୁ ସତ୍କାର କରି ପବିତ୍ର ଆତ୍ମାର ସଦଗତି କାମନା କରିଥିଲା । ସୂଚନା ଅନୁଯାୟୀ ବରଗଡ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ଅଞ୍ଚଳରେ ଜଣେ ଅସହାୟ ବୃଦ୍ଧ ଗତ ୩ ମାସ ହେଲା କୁଆଡୁ ଚାଲିଆସି ଭିକ୍ଷା ବୃତ୍ତିକରି ଜୀବନଜାପନ କରୁଥିଲେ । ସେ କେବେ ଗୋଡଭାଗା ଜଗଉ ବାରଣ୍ଡାରେ ତ କେବେ ଗୋଡଭଗାର ସମଲେଶ୍ଵରୀ ମନ୍ଦିରରେ ରାତ୍ରି କାଟୁଥିଲେ । ତେବେ ଗତ ୧୧ ତାରିଖରେ ବୃଦ୍ଧ ଜଣକ ଜଗଉ ବରଣ୍ଡାରେ ରାତିରେ ସୋଇଥିଲେ ମାତ୍ର ତହିଁ ଆର ଦିନ ସକାଳେ ସେ ଆଉ ଉଠିନଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମାତ୍ର ତାଙ୍କର ମୃତ୍ୟୁ ହୋଇଯାଇଥିବା ଜାଣିପାରିଥିଲେ ଏବଂ ଗୋଡଭଗା ପୋଲିସକୁ ଖବର ଦେଇଥିଲେ । ତେବେ ଘଟଣା ସ୍ଥଳକୁ ଗୋଡଭଗା ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଗତ ୧୨ ତାରିଖରେ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ଅସହାୟ ଶବକୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ରଖାଯାଇଥିଲେ ମଧ୍ୟ ବୃଦ୍ଧଙ୍କ କୌଣସି ପରିଜନ ଆସିନଥିଲେ । ତେବେ ଅତାବିରା ପୋଲିସର ଅନୁରୋଧ କ୍ରମେ ଆଜି ବରଗଡର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଅସହାୟ ଶବଟିକୁ ସ୍ଥାନୀୟ ପିପଲମୁଣ୍ଡା ସ୍ଵର୍ଗଦ୍ଵାର ଠାରେ ସସମ୍ମାନେ ସତ୍କାର କରିଥିଲା । ସଂକଳ୍ପ ପରିବାରର ସକ୍ରିୟ ସଦସ୍ୟ ଚିନ୍ମୟ ପାଣ୍ଡେ, ଅନନ୍ତ ଚରଣ ସାହୁ, ଅଭିନୟ ମିଶ୍ରଙ୍କ ସହିତ ଗୋଡଭଗା ଫାଣ୍ଡିର ପୋଲିସ କନଷ୍ଟବଳ ପଙ୍କଜିନୀ ତ୍ରିପାଠୀ ଏବଂ ଗୋଡଭଗାର ସମାଜସେବୀ ଯୁଗଲ ନାଗ, ଭରତ ବାରିକ ଏବଂ ତୁଳାରାମ ସୁନା ମଧ୍ୟ ଉପସ୍ଥିତ ଥିଲେ । ଚଳିତ ଶ୍ରାବଣ ମାସରେ ସମସ୍ତେ ଭକ୍ତି ଭାବରେ ଭଗବାନଙ୍କ ଉପାସନା କରୁଥିବା ବେଳେ ସଂକଳ୍ପ ପରିବାର ଅସହାୟଙ୍କ ସେବାକୁ ଭଗବାନଙ୍କ ଉପାସନା ମଣି ନେଇଛି ଏବଂ ଅସହାୟଙ୍କ ସେବାରେ ନିଜକୁ ସମର୍ପିତ କରିଦେଇଛି ।