ଅସହାୟ ଶବ ସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ କମସରା ଗ୍ରାମ ପଞ୍ଚାୟତର ବଡଯୋର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର ଜଣେ ୨୯ ବର୍ଷୀୟା ଅବିବାହିତା ମହିଳା ଚିକେନପକ୍ସ ରୋଗରେ ପୀଡିତ ହେବା ପରେ ପରିବାର ସଦସ୍ୟ ରୋଗୀକୁ ଘରେ ରଖି ଝଡାଫୁଙ୍କା ଚିକିତ୍ସା କରାଉଥିଲେ । ମହିଳା ଜଣକ ସୁସ୍ଥ ହେବା ବଦଳରେ ରୋଗ ଅଧିକ ବଢି ଯିବାରୁ ଚିକିତ୍ସା ନିମନ୍ତେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ବଲାଙ୍ଗିରସ୍ଥିତ ଏକ ଘରୋଇ ନର୍ସିଂହୋମକୁ ରୋଗୀଙ୍କୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା କରାଉଥିଲେ । ସେ ସୁସ୍ଥ ନ ହେବାରୁ ପରିବାର ସଦସ୍ୟ ତାଙ୍କୁ ଘରକୁ ନେଇ ଫେରି ଯାଇଥିଲେ । ଗତକାଲି ୧୪ ଫେବୃଆରୀ ରାତିରେ ନିଜ ଘରେ ମହିଳାଙ୍କ ମୃତ୍ୟୁବରଣ ଘଟିଥିଲା । ପରିବାର ସଦସ୍ୟ ଅନ୍ଧ ବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ମହିଳାଙ୍କ ବାପା, ଭାଇ ଓ ବନ୍ଧୁବର୍ଗ ମିଶି ଗ୍ରାମ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲରେ ମହିଳାଙ୍କ ଶବକୁ ଫୋପାଡି ଦେଇ ଶବ ଉପରେ କଣ୍ଟା ଗଛ ଡାଳ ଲଦି ଦେଇ ଚାଲି ଆସିଥିଲେ । ସକାଳୁ ଏହି ଘଟଣା ଗ୍ରାମରେ ପ୍ରଚାର ହେବା ପରେ ସ୍ଥାନୀୟ କିଛି ସ୍ୱେଚ୍ଛାସେବୀ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଖବର ଦେବା ସହିତ ସାହାଯ୍ୟ ଲୋଡି ଥିଲେ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ସୁମିତ ମିଶ୍ର ଓ ଲିଙ୍କନ ସେଠ ବଲାଙ୍ଗିରରୁ ବାହାରି ବଡଯୋର ଗ୍ରାମସ୍ଥିତ ସେହି ମହିଳାଙ୍କ ପରିବାର ସଦସ୍ୟଙ୍କ ପାଖରେ ଯାଇ ପହଞ୍ଚିଥିଲେ । ସେଠାରେ ପରିବାର ସଦସ୍ୟଙ୍କ ସହ ଘଟଣା ବିଷୟରେ ଆଲୋଚନା କରିବା ସହିତ ଏହିପରି ଅନ୍ଧ ବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ନ ହୋଇ ଶବକୁ ସସମ୍ମାନେ ସଂସ୍କାର କରିଦେବା ପାଇଁ ବୁଝାସୁଝା କରିଥିଲେ । ହେଲେ ପରିବାର ସଦସ୍ୟ ଗ୍ରାମବାସୀଙ୍କ ଭୟରେ ଏଥିପାଇଁ ଅରାଜି ହେବାରୁ ସଂଗଠନ ପକ୍ଷରୁ ସ୍ଥାନୀୟ ପୋଲିସକୁ ଏହି ଘଟଣା ବିଷୟରେ ଖବର ଦିଆଯାଇଥିଲା । ପୋଲିସ ଘଟଣା ବିଷୟରେ ଅବଗତ ଥିବା ଏବଂ ଘଟଣାର ପୁଷ୍ଟି ସରିଥିବା କହିଥିଲେ ସ୍ଥାନୀୟ ପୋଲିସ ଅଧିକାରୀ । ପୋଲିସ ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମୃତ ମହିଳାଙ୍କ ପରିବାର ସଦସ୍ୟଙ୍କ ଲିଖିତ ଅନୁମତି ନେବା ପରେ ବଡଯୋରସ୍ଥିତ ସେହି ଘଞ୍ଚ ଜଙ୍ଗଲକୁ ଯାଇ ପହଞ୍ଚିଥିଲେ । ଗାଡି ଯିବା ପାଇଁ ରାସ୍ତା ନ ଥବାରୁ ଶବକୁ ଘଞ୍ଚ ଜଙ୍ଗଲରେ ପଡି ରହିଥିବା ସ୍ଥାନରୁ ବାହାର କରି ସଂଗଠନର ସଦସ୍ୟମାନେ ଚାଲି ଚାଲି ୪ କିଲୋମିଟର ଯାଏଁ ଆସି ସ୍ଵର୍ଗ ରଥ ଗାଡି ନିକଟକୁ ଆଣିଥିଲେ । ପରେ ସ୍ୱର୍ଗ ରଥରେ ଶବକୁ ଧରି ବଲାଙ୍ଗିର ବିଭୁତିପଡାସ୍ଥିତ ଶ୍ମଶାନକୁ ଅନ୍ତିମ ସଂସ୍କାର ପାଇଁ ଆଣିଥିଲେ । ଏହି ଘଟଣା ପ୍ରତି ଅବଗତ ହେବା ପରେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଗଭୀର ଭାବରେ ମର୍ମାହତ ହୋଇ ବିଭୁତିପଡା ଶ୍ମଶାନରେ ଉପସ୍ଥିତ ରହିଥିଲେ । ସଂଗଠନର ସଦସ୍ୟମାନେ ପହଞ୍ଚିବା ପରେ ତାଙ୍କଠାରୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ବୁଝିବା ସହିତ ଆଜିର ସମାଜରେ ଏହିପରି ଅନ୍ଧ ବିଶ୍ୱାସ ଓ କୁସଂସ୍କାରରୁ ଦୂରରେ ରହିବା ପାଇଁ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ । ଅନ୍ତିମ ସଂସ୍କାର କାର୍ଯ୍ୟ ପାଇଁ ଉପଯୁକ୍ତ ସାମଗ୍ରୀ ପାଇଁ ଯୁବ ସଂଗଠକ ବୁଲୁ ବେହେରା ସହଯୋଗ କରିଥିଲେ । ଶେଷରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଶତପଥୀ, ସୁମିତ ମିଶ୍ର, ଲିଙ୍କନ ସେଠ, ରାଜେନ୍ଦ୍ର ସେଠ, ଦେବରାଜ ନାଗ ମୃତ ମହିଳାଙ୍କ ଶବକୁ ସସମ୍ମାନେ ଅନ୍ତିମ ସଂସ୍କାର କରିଥିଲେ ।

Leave A Reply

Your email address will not be published.