ପୋଷ୍ଟମର୍ଟମ ହୋଇଥିବାରୁ ଶବକୁ କାନ୍ଧ ଦେଲେନି ଜାତି ଭାଇ : ଛୁଇଁବାକୁ ମନା କଲେ ଗ୍ରାମବାସୀ

  • ମୋଟର ସାଇକେଲରେ ମଶାଣିକୁ ନେଇ ଶବ ସତ୍କାର କଲେ ସରପଞ୍ଚଙ୍କ ସ୍ୱାମୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶ ସ୍ଵାଧୀନ ହେବା ୭୫ ବର୍ଷ ହେଲା । ଏ ବର୍ଷ ଆମେ ସମସ୍ତେ ଅମୃତ ମହୋତ୍ସବ ପାଳନ କରୁଛୁ କିନ୍ତୁ ଛୁଆଁ ଅଛୁଆଁ ଜାତି ପ୍ରଥା ଆଜି ବି ଗାଁ ସହର ସମସ୍ତ ଜାଗାରେ ଭରି ରହିଛି । ଯାହାର ଜ୍ୱଳନ୍ତ ଉଦାହର ପଦ୍ମପୁର ମହୁଲପାଲି ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମହୁଲପାଲି ମୁଚୁନୁ ଷାଣ୍ଢ(୪୨)ଙ୍କ ବୁର୍ଲା ମେଡ଼ିକାଲରେ ପରଲୋକ ହୋଇଯାଇଛି । ତାଙ୍କ ପୋଷ୍ଟବଟମ ବୁର୍ଲା ମେଡ଼ିକାଲରେ କରାଗଲା ସେଠୁ ଗୋଟେ ପ୍ରାଇଭେଟ ଆମ୍ବୁଲାନ୍ସରେ ଗାଁକୁ ଅଣାଗଲା ସେହି ଆମ୍ବୁଲାନ୍ସର ଖର୍ଚ୍ଚ ଗାଁର କିଛି ସଚେତନ ନାଗରିକ ସମସ୍ତେ ମିଶି ଦେଲେ । କିନ୍ତୁ ବୁର୍ଲାରେ ପୋଷ୍ଟମର୍ଟମ କରିଥିବାରୁ ତାଙ୍କୁ କେହି ଘରୁ ମଶାଣିକୁ ନେବା ପାଇଁ କାନ୍ଧ ଦେଲେ ନାହିଁ କି କେହି ଆସିଲେ ନାହିଁ । ମଣିଷ ସମାଜରେ ମଣିଷ ପାଣିଆ ଆଉ ନାହିଁ । ଲୋକେ ଜାତି ପ୍ରଥା ପାଇଁ ଛୁଇଁବାକୁ ମନା କରିଦେଲେ । ସରପଞ୍ଚଙ୍କ ସ୍ୱାମୀ ତଥା ମହୁଲପାଲି ନେତାଜୀ ଯୁବକ ସଂଘର ସଭାପତି ସୁନୀଲ ବେହେରା କିନ୍ତୁ ମଣିଷ ପାଣିଆ ଦେଖାଇ ଜାତି ପ୍ରଥାର ଉର୍ଦ୍ଧ୍ବରେ ରହି କିଛି ଲୋକଙ୍କ ସହାୟତାରେ କାଠ ଯୋଗାଡ଼ କରିଥିଲେ । ଗାଁଲୋକେ କେହି କାନ୍ଧ ଦେବା ପାଇଁ ମନା କରି ଦେବାରୁ ଆମ୍ବୁଲାନ୍ସ ଜରିଆରେ ସିଧା ମଶାଣିକୁ ନେଲେ । କିନ୍ତୁ କିଛି ବାଟ ଗଲା ପରେ ଆଉ ଆମ୍ବୁଲାନ୍ସ ଗଲା ନାହିଁ । ସେହି ଜାଗାରୁ ସୁନୀଲ ବେହେରା ନିଜେ ତାଙ୍କ ମୋଟର ସାଇକେଲରେ ଆମ୍ବୁଲାନ୍ସ ଡ୍ରାଇଭର ଓ ତାଙ୍କ ସହଯୋଗୀ ସହିତ ସେହି ଲାସକୁ ମଶାଣି ପର୍ଯ୍ୟନ୍ତ ନେଇଥିଲେ । ପରେ ଗାଁର କିଛି ସଚେତନ ଯୁବକ କୁନୁ ସାହୁ, ସମିତି ସଭ୍ୟ ମୁରାରୀ ସାହୁ, ବିଜୟ ପାଇକ, ଉପେନ୍ଦ୍ର ସେନ୍ଦରିଆ, ବିରେନ ସୁନା, ରୁକୁ ସେଟଙ୍କ ସହାୟତାରେ ଅନ୍ତିମ ସଂସ୍କାର କଲେ । ଏପରି ଏକ ଦୁଃଖ ସମୟରେ ଛିଡ଼ା ହୋଇ ସହଯୋଗ କରିଥିବାରୁ ବୁଦ୍ଧିଜୀବୀ ମହଲରେ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.

error: Content is protected !!