ଋଷିକୁଲ୍ୟାରେ ଦ୍ୱିତୀୟ ମୁହାଁଣ ଖୋଲିଲା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ଼ ‘ରେମାଲ’ ରବିବାର ପଶ୍ଚିମବଙ୍ଗ ଓ ବଙ୍ଗଳାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁ ବା ପୂର୍ବରୁ ସମୁଦ୍ର ଅଶାନ୍ତ ହୋଇ ଉଚ୍ଚ ଲହଡି ସୃଷ୍ଟି ହୋଇଛି । ଯାହାକୁନେଇ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଗ୍ରାମସ୍ଥିତ ମା’ ଗଙ୍ଗାଦେବୀ ମନ୍ଦିର ସମ୍ମୁଖରେ ନୂତନ ଭାବେ ଦ୍ୱିତୀୟ ମୁହାଁଣଟି ଖୋଲିଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଋଷିକୁଲ୍ୟା ସମୁଦ୍ର କଇଁଚ ସୁରକ୍ଷା ସମିତି ସମ୍ପାଦକ ରବିନ୍ଦ୍ରନାଥ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନୂତନ ମୁହାଁଣଟି ଖୋଲିବା ଫଳରେ ନଦୀ ଓ ସମୁଦ୍ର ମଧ୍ୟରେ ଠିକ୍‌ ଭାବରେ ଜୁଆର ଓ ଭଟା ସମୟରେ ଜଳ ନିଷ୍କାସନ ହୋଇପାରିବ ବୋଲି ପରିବେଶବିତ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ପ୍ରଥମ ମୁହାଁଣଟି ସମ୍ପ୍ରତି ଗଙ୍ଗାଦେବୀ ମନ୍ଦିର ନିକଟରୁ ଉତ୍ତର ଦିଗରେ ପ୍ରାୟ ୪ କିଲୋମିଟର ଦୂରତା ମଧ୍ୟରେ ରହିଥିବା ବେଳେ ସେହି ମୁହାଁଣଟି ଧୀରେ ଧୀରେ ପୋତି ହେବାକୁ ବସିଲାଣି । ବର୍ତ୍ତମାନ ନୂତନ ମୁହାଁଣ ଖୋଲିବା ଜଣାପଡିବା ଫଳରେ ପରିବେଶବିତ୍‌ ଓ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଛି ।

Leave A Reply

Your email address will not be published.