ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଶହ ଶହ ଲୋକ ପ୍ରତିଦିନ ଚିକିତ୍ସା ପାଇବା ପାଇଁ ଆସିଥାନ୍ତି । ଏହି ଡାକ୍ତରଖାନାରେ ଦୁଇ ଦିନ ତଳେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ସକାଳ ରାଉଣ୍ଡରେ କୌଣସି ଡାକ୍ତର ଦେଖୁ ନଥିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଶନିବାର ସକାଳୁ ଏଗାରଟା ଯାଏଁ କୌଣସି ଡାକ୍ତର ଆସି ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଦେଖୁ ନଥିବା ଅଭିଯୋଗ ହେଉଛି । ଜଣେ ରୋଗୀଙ୍କ ସମ୍ପର୍କୀୟ ଏନେଇ ବିଜେପି ନେତା ନରସିଂହ ସିଂଙ୍କୁ ଜଣାଇବାରୁ ସେ ଆସି ଚିନ୍ତା ପ୍ରକଟ କରିବା ସହ ଗୁରୁତର ଥିବା ରୋଗୀଙ୍କୁ ଓପିଡିରେ ଥିବା ଡାକ୍ତର ଓଁକାର ହୋତାଙ୍କୁ ଦେଖାଇଥିଲେ । ଯୁବ ନେତା ଅଭିଯୋଗ କରିବା ପରେ ୧୧ଟା ୩୦ମିନିଟ୍ ସମୟରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ରାଉଣ୍ଡ ଡ୍ୟୁଟି ଦେଉଛନ୍ତି ଡାକ୍ତର । ଅବହେଳା କ’ଣ ପାଇଁ ହେଉଛି ଓ ସକାଳୁ ସନ୍ଧ୍ୟାରେ ରାଉଣ୍ଡ ଡ୍ୟୁଟି ସମୟ ଅନୁସାରେ କରୁଥିବା ଡ. ଓଁକାର ହୋତାଙ୍କୁ କାହିଁକି ଡ୍ୟୁଟିରୁ କଢ଼ାଗଲା ବୋଲି ପ୍ରଶ୍ନ ପଚାରିବା ସହିତ ଭର୍ତି ହୋଇଥିବା ରୋଗୀଙ୍କୁ ଉପଯୁକ୍ତ ସମୟରେ ହିଁ ଡାକ୍ତର ଦେଖିବାକୁ ଦାବୀ କରିଛନ୍ତି । ସେହିପରି ଗର୍ଭବତୀ ମହିଳାଙ୍କ ଅସ୍ତ୍ରୋପଚାର ପରେ ରଖାଯାଇଥିବା ୱାର୍ଡରେ ଏକଜିଷ୍ଟ ଫେନ୍ ଚାଲୁନି, ଯଦ୍ୱାରା ରୋଗୀଙ୍କ ସହ ଛୋଟ ଛୋଟ ଶିଶୁ ମଧ୍ୟ କଷ୍ଟ ଭୋଗୁଛନ୍ତି । ଏ ଦିଗରେ ଯଥା ଶୀଘ୍ର କାର୍ଯ୍ୟ କରିବାକୁ ରୋଗୀଙ୍କ ସମ୍ପର୍କୀୟ ଦାବୀ କରିଛନ୍ତି ।
Next Post