ଶ୍ରୀଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେବ ନୂଆ ରୋଷଘର କାର୍ଯ୍ୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀଲିଙ୍ଗରାଜଙ୍କ ଦୈନଦିନ ନୀତିରେ ଶଙ୍ଖୁଡ଼ି ଭୋଗ, ଅନ୍ନ ଭୋଗ ଲାଗି ହୋଇଥାଏ । ପ୍ରାଚୀନ କାଳରୁ ମନ୍ଦିର ବେଢା ପରିସରରେ ନୃସିଂହ ଦେବ ମନ୍ଦିର ପଛପଟେ ରହିଛି ଠାକୁରଙ୍କ ରୋଷଘର । ସମ୍ପ୍ରତି ଏଠାରେ ୪ରୁ ୫ଟି ରୋଷଚୁଲା ରହିଛି । ବିଭିନ୍ନ ସମସ୍ୟା ଦେଖାଦେବାରୁ ଏହି ରୋଷଘର ପଛପଟକୁ ୫ବର୍ଷ ପୂର୍ବେ ନୂତନ ରୋଷଘର ନିର୍ମାଣ ହୋଇଥିଲା । ଏଠାରେ ୨୦ରୁ ଅଧିକ ଚୁଲା ରହିଛି । ଏହି ରୋଷଘରୁ ପେଜପାଣି, ଅନ୍ନ, ବିଭିନ୍ନ ବ୍ୟଞ୍ଜନରୁ ଉଦ୍‌ବୃତ୍ତ ଖାଦ୍ୟ ପେଜ ନଳାରେ ଯାଇ ଜାମ ହେବା ଭଳି ବିଭିନ୍ନ ସମସ୍ୟା ଦେଖାଯାଉଛି । ଉକ୍ତ ନୂତନ ରୋଷଘର ମରାମତି କରିବାକୁ ଏଏସଆଇ ପକ୍ଷରୁ ବର୍ଷେ ପୂର୍ବରୁ ଟେଣ୍ଡର ସରିଥିଲା । କୌଣସି କାରଣରୁ ରୋଷଘର କାର୍ୟ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଏବେ ଏହି କାର୍ୟ୍ୟ କରିବା ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ସଂକ୍ରାନ୍ତି ପରେ ନୂତନ ରୋଷଘରର ପୁନରୁଦ୍ଧାର କାର୍ଯ୍ୟ ହେବା ନେଇ ଏଏସଆଇ ସଂରକ୍ଷଣ ଅଧିକାରୀ ମାନସ ରଞ୍ଜନ ସାହୁ କହିଛନ୍ତି । ରୋଷଘର ହସ୍ତାନ୍ତର ପରେ ଠାକୁରଙ୍କ ନୀତିକାନ୍ତିକୁ ଗୁରୁତ୍ୱ ଦେଇ ପ୍ରଥମେ ବିଭିନ୍ନ ସମସ୍ୟା ଯାଞ୍ଚ କରାଯିବ ଏବଂ ପରେ ମରାମତି କାମ ହେବ ବୋଲି ଶ୍ରୀ ସାହୁ କହିଛନ୍ତି ।

Leave A Reply

Your email address will not be published.