jayashree

ଗାଁକୁ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଗାଁକୁ ରାସ୍ତା ନଥିବାରୁ ଖଟିଆରେ ୫ କି.ମି. ବୁହାହେଲେ ରୋଗୀଣା ବୃଦ୍ଧା । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କଡିପାରୀ ପଞ୍ଚାୟତର ଭେଜାପଦର ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଜାମୁ ମାଝୀଙ୍କର ସ୍ତ୍ରୀ ମର୍ଚି ମାଝି(୬୦) ୩ ଦିନରୁ ଅଧିକ ଦିନ ହେବ ଜ୍ୱରରେ ପୀଡ଼ିତ ଥିଲେ ପରେ ସେ ଗୁରୁତର ହୋଇଯାଇଥିଲେ । ଗାଁକୁ ରାସ୍ତା ନଥିବାରୁ କୌଣସି ଯାନବାହନ ଯାଇ ନଥାଏ, ଫଳରେ ରୋଗୀଙ୍କୁ ବାଧ୍ୟ ହୋଇ ପରିବାର ଲୋକେ ଖଟିଆରେ ୫ କିମି ପର୍ଯ୍ୟନ୍ତ ବୋହି ଆଣିଥିଲେ । ହେଲେ ୧୦୮ ଆମ୍ବୁଲାନ୍ସ ପାଖରେ ଉଲବ୍ଧ ନଥିବାରୁ ଏକ ଅଟୋ ଯୋଗେ ଉଷାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଥିବା ପରିବାର ଲୋକେ କହିଛନ୍ତି । ଏହି ଗାଁରେ ପ୍ରାୟ ୭୦ଘର ଥିବା ବେଳେ ଲୋକସଂଖ୍ୟା ୩୦୦ରୁ ଅଧିକ । ଗାଁକୁ ରାସ୍ତା ନଥିବା ନେଇ ବାରମ୍ବାର କାଶୀପୁର ବ୍ଲକ ବିଡିଓଙ୍କୁ ଓ ରାୟଗଡା ଜିଲ୍ଲାପାଳଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଗତ କିଛିଦିନ ତଳେ ଜଣେ ଗର୍ଭବତୀଙ୍କୁ ମଧ୍ୟ ଖଟିଆରେ ବୋହି ମେଡିକାଲ ନିଆଯାଇ ଥିବାର ଦେଖାଯାଇଥିଲା । କାଶୀପୁର ବିଡିଓଙ୍କୁ ଗ୍ରାମବାସୀ ଯାଇ ବାରମ୍ବାର ଅଭିଯୋଗ କରିଥିଲେ ଏବଂ ରାସ୍ତା ହୋଇଯିବ ବୋଲି ବିଡିଓ ପ୍ରତିଶୃତି ମଧ୍ୟ ଦେଇଛନ୍ତି ବୋଲି ଗ୍ରାମର ଗୁରୁନାଥ ମାଝୀ, ମୁନା ନାଏକ, ଜୁଗଳ ନାଏକ, ବସନ୍ତ ନାଏକ କହିଛନ୍ତି ।

Leave A Reply

Your email address will not be published.