centurian jitm

୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି

nschool
  • ୨୦୨୨-୨୩ ପାଇଁ ଦୁଇଟି ପର୍ଯ୍ୟାୟରେ ସମୁଦାୟ ୮୫୬.୯୯ କୋଟି ଟଙ୍କାର ସୁଧ ରିହାତି
  • ଚାଷୀମାନେ ହେଉଛନ୍ତି ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି, ସେମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର Convention Centerରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଗଲା । ପ୍ରଥମ ପର୍ଯ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ଏହି ପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ । ସୂଚନାଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ । ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ।

ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ Video Conference ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା । ବିକାଶର ଆଧାର । ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା’ମାନେ ଓ ଯୁବକ ଯୁବତୀମାନେ । ତେଣୁ ଆପଣମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି । ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କୃଷି ଋଣ ଦିଆଯାଉଛି । ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି । ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଜିର ସୁଧ ରିହାତି ଯୋଗୁଁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ ।

ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି ।

ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ କୃଷି କ୍ଷେତ୍ରରେ ଓଡିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି । ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି ।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନୀତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ । ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁଁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ । ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.