jayashree

ଟିଟିଲାଗଡରେ ଆର୍‌ଆଇ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡରେ ଥିବା ଠିକଣାକୁ ନେଇ ଦ୍ଵନ୍ଦରେ ପରୀକ୍ଷାର୍ଥୀ : ଅନେକ ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ ଫେରିଯାଇଥିବା ଅଭିଯୋଗ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାର ସମସ୍ତ ଜିଲ୍ଲାରେ ଓଡିଶା ସବ୍‌ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ମାଧ୍ୟମରେ ଆର୍‌ଆଇ ପରୀକ୍ଷା ଆୟୋଜିତ ହୋଇଥିବା ବେଳେ ଟିଟିଲାଗଡ ସହରର ଛଅଟି ସ୍ଥାନ ଯଥା ସରକାରୀ ବାଳିକା ବିଦ୍ୟାଳୟ, ଡିଏଭି କଲେଜ, ଡିଏଭି ପବ୍ଲିକ ସ୍କୁଲ, ସେଣ୍ଟାନି ପବ୍ଲିକ ସ୍କୁଲ, ପ୍ରଭାବତୀ ପବ୍ଲିକ ସ୍କୁଲ ଏବଂ ମହେଶ୍ୱର ହିନ୍ଦୀ ହାଇସ୍କୁଲ ଠାରେ ପ୍ରଶାସନ ପକ୍ଷରୁ ପରୀକ୍ଷା କେନ୍ଦ୍ର କରାଯାଇ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଆଜି ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଟିଟିଲାଗଡ ସରକାରୀ ମହିଳା ମହାବିଦ୍ୟାଳୟକୁ ପରୀକ୍ଷା ଦେବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ପରୀକ୍ଷାର୍ଥୀ ଆସି ପହଞ୍ଚି ଥିଲେ । କିନ୍ତୁ ଟିଟିଲାଗଡରେ ପ୍ରଶାସନ ପକ୍ଷରୁ ଘୋଷିତ ଛଅଟି ପରୀକ୍ଷା କେନ୍ଦ୍ର ମଧ୍ୟରେ ଏହା ନ ଥିବାରୁ ଏଠାରେ ପରୀକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଟିଟିଲାଗଡ ମହିଳା ମହାବିଦ୍ୟାଳୟର ମୁଖ୍ୟ ଗେଟ ବନ୍ଦ ଥିବା ଓ କୌଣସି ବ୍ୟବସ୍ଥା ହୋଇ ନ ଥିବା ଦେଖି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ଘଟଣାରର ଅନୁସନ୍ଧାନ କରିବା ପରେ ଜଣା ପଡ଼ିଲା ଯେ, ପରୀକ୍ଷାର୍ଥୀ ପାଇଥିବା ଆଡମିଟ କାର୍ଡରେ ଲେଖା ଯାଇଥିବା ଠିକଣା ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ ରୋଡକୁ ନେଇ ଦ୍ଵନ୍ଦରେ ବହୁ ପରୀକ୍ଷାର୍ଥୀ ଟିଟିଲାଗଡ ମେନ ରୋଡ ସ୍ଥିତ ମହିଳା ମହାବିଦ୍ୟାଳୟକୁ ଚାଲି ଆସିଥିଲେ । ତେବେ ଜାରି କରାଯାଇଥିବା ଆଡମିଟ କାର୍ଡରେ ଯେଉଁ ଭଳି ଭାବରେ ପରୀକ୍ଷା କେନ୍ଦ୍ରର ଠିକଣା ଉଲ୍ଲେଖ କରାଯାଇଛି ତାହାକୁ ଦେଖି ଯେ କେହି ବି ଦ୍ଵନ୍ଦରେ ପଡ଼ିବା ସ୍ଵାଭାବିକ । ତେବେ ପ୍ରକୃତ ଘଟଣା ଜଣା ପଡ଼ିବା ପରେ ଟିଟଲାଗଡ ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ବୁଝାସୁଝା କରି ପ୍ରକୃତ ପରୀକ୍ଷା କେନ୍ଦ୍ର ବଲାଙ୍ଗିର ମହିଳା ମହାବିଦ୍ୟାଳୟକୁ ବସ ଯୋଗେ ପଠାଯାଇଥିଲା ତେବେ ନିର୍ଦ୍ଧିଷ୍ଟ ପରୀକ୍ଷା ସମୟ ହୋଇ ଯାଇଥିବା ଯୋଗୁଁ ପୁଣି ବସଟିକୁ ଅଧା ରାସ୍ତାରୁ ଫେରାଇ ବଲାଙ୍ଗିର ରାସ୍ତାରେ ଥିବା ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲ ପରୀକ୍ଷା କେନ୍ଦ୍ରକୁ ନିଆଯାଇ ସେଠାରେ ଉକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଟିଟିଲାଗଡ ପୌରପରିଷଦ ତରଫରୁ ଉକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଟିଫିନ ପ୍ୟାକେଟର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସହ ଉକ୍ତ ପରୀକ୍ଷାର୍ଥୀ ମାନେ ତାଙ୍କ ଦ୍ଵିତୀୟ ପତ୍ର ମଧ୍ୟ ଏଠାରେ ଦେବା ପାଇଁ ବ୍ୟବସ୍ଥା କରାଯାଇଥିବା ପୌର ନିର୍ବାହୀ ଅଧିକାରୀ ତଥା ଟିଟିଲାଗଡ ଉପଜିଲ୍ଲାପାଳ ମହାଜନ ମନୋଜ ସତ୍ୟବାନ ପ୍ରକାଶ କରିଛନ୍ତି । ତେବେ କିଛି ପରୀକ୍ଷାର୍ଥୀ ପରୀକ୍ଷା ନ ଦେଇ ଫେରିଯାଇ ଥିବା ମଧ୍ୟ ଦେଖିବାକୁ ମିଳିଛି ।

Leave A Reply

Your email address will not be published.