ସୁବର୍ଣ୍ଣପୁରରେ ମହାସମାରୋହରେ ସାଧାରଣତନ୍ତ୍ର ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ରାମେଶ୍ୱର ଷ୍ଟାଡିୟମଠାରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରବି ନାରାୟଣ ନାଏକ, ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡିଶା ସରକାର ମୁଖ୍ୟ ଅତିଥିରୂପେ ଯୋଗଦେଇ ସକାଳ ୮. ୩୦ମି ସମୟରେ ରାମେଶ୍ଵର ଷ୍ଟାଡିୟମ୍‌ରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମ୍ମିଳିତ ପେରେଡର ଅଭିବାଦନ ଗ୍ରହଣ କରି ସମବେତ ଜନତା ତଥା ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ଶ୍ରୀମତୀ ଅନ୍ୟା ଦାସ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ ଦିବସର ମୁଖ୍ୟ ଅତିଥି ମନ୍ତ୍ରୀଙ୍କୁ ଉତ୍ସବସ୍ଥଳରେ ସ୍ୱାଗତ କରିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ସୁବର୍ଣ୍ଣପୁରର ଗୌରବମୟ ଐତିହ୍ୟ, କଳା ସଂସ୍କୃତି ପରମ୍ପରାର ଭୂୟସୀ ପ୍ରଶଂସା କରିବା ସହିତ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଏବଂ ପାଟ, ମଠା ବୟନଶିଳ୍ପ ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କହିଥିଲେ । ଜିଲ୍ଲାର ତଥା ଜନସାଧାରଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଷ୍ଟାଡିୟମ୍ ଠାରେ ପେରେଡ କମାଣ୍ଡର ଆର୍‌ଆଇ, କାହ୍ନୁଚରଣ ମାରାଣ୍ଡିଙ୍କ ତତ୍ତ୍ୱାବଧାନରେ ସମବେତ ପରେଡ୍ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୪୨ଟି ପେରେଡ ଦଳ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗର ୧୬ଟି ଉନ୍ନୟନ ଓ କଲ୍ୟାଣକାରୀ ଯୋଜନା ତଥା ସଚେତନତା ସମ୍ମିଳିତ ପ୍ରଜ୍ଞାପନ ମେଢ଼ର ପ୍ରଦର୍ଶନ ଦର୍ଶକଙ୍କୁ ବିମୋହିତ କରିଥିଲା । ଜନରାଜ୍ୟ ଦିବସ ପାଳନ ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ, ସଂସ୍ଥା , କର୍ମଚାରୀଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପ୍ୟାରେଡରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଏନ୍‌ସିସି, ସ୍କାଉଟ, ଗାଇଡ଼, ରେଡ଼କ୍ରସ, ସିଭିଲିଆନ ଗ୍ରୁପରୁ ବିଭିନ୍ନ ବର୍ଗରେ ୧୨ଟି ପେରେଡ ଦଳଙ୍କୁ ଟ୍ରଫି ଓ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ପରେ ପରେ ମନ୍ତ୍ରୀ ଶ୍ରୀଯୁକ୍ତ ନାଏକ ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ପଞ୍ଚାୟତର ବାବୁପାଲି ଓ ମଧୁପୁର ଠାରେ ୮ଲକ୍ଷ ୫୦ ହଜାର ଅର୍ଥ ବିନିଯୋଗରେ ବନ ସୁରକ୍ଷା ସାଙ୍ଗକୁ ନୂତନ ବନୀକରଣର ଉଦ୍ଦେଶ୍ୟରେ ଦୁଇଟି ବନ ସୁରକ୍ଷା ସମିତି କୋଠାର ଲୋକାର୍ପଣ କରିଥିବା ବେଳେ ମୟୁରଉଡାଣ ଗ୍ରାମ ପଞ୍ଚାୟତର ରୁଗୁଡ଼ିପାଲି ଠାରେ ୬ଟି ବ୍ଲକ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇ.ଜି.ଏ ଯୋଜନାରେ ୯୩ଟି ଅମୃତ ସରୋବର (ପିସି କଲଚର ଟେଙ୍କ) ୧୦ ଲକ୍ଷ ଲେଖାଁଏ ଅନୁଦାନର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର କାର୍ଯ୍ୟକାରୀ ଦ୍ୱାରା ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ସ୍ତରରେ ୩୬୦୦୦ ପଞ୍ଜିକୃତ ଜବ କାର୍ଡଧାରୀ ଉପକୃତ ହେବା ସହିତ ସମ୍ପୃକ୍ତ ଗ୍ରାମପଂଚାୟତ ଗୁଡିକରେ ଅଭ୍ୟନ୍ତରୀଣ ଆୟ (ଓଏସ୍‌ଆର୍‌) ବୃଦ୍ଧି ହେବ । ପୁନଶ୍ଚ ଏହାଦ୍ୱାରା ସ୍ଥାନୀୟ ଅଂଚଳରେ ୩୨.୫.୫୦୦ ଶ୍ରମ ଦିବସ ସୃଷ୍ଟି ହୋଇ ଜିଲ୍ଲାର ଅର୍ଥନୈତିକ ବିକାଶ ହୋଇପାରିବ ।ପୁନଶ୍ଚ ସ୍ଥାନୀୟ ଏସ୍‌ଏଚ୍‌ଜି ଦଳ ଏହି ପୋଖରୀରେ ମାଛ ଚାଷ କରି ଜୀବନ ଜୀବିକାରେ ଏକ ନୂତନ ସମ୍ଭାବନା ସୃଷ୍ଟି ହୋଇପାରିବ । ତଦ୍‌ ସହିତ ଏହି ଅମୃତ ସରୋବର ପ୍ରକଳ୍ପ ଦ୍ୱାରା ଭୁତଳ ଜଳସ୍ତର ବୃଦ୍ଧି ହୋଇ ଚାଷ ଓ ଚାଷୀଙ୍କ ନିମନ୍ତେ ବିଶେଷ ସହାୟକ ହେବ ବୋଲି ଅମୃତ ସରୋବର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ । ସେ ଏହି ଅବସରରେ ସରକାରଙ୍କ ଦ୍ୱାରା ବର୍ତ୍ତମାନ ଚାଲିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଗୃହ ନିମନ୍ତେ ଗୃହହୀନ ପରିବାର ସର୍ଭେ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉପସ୍ଥିତ ଜବ କାର୍ଡଧାରୀ ତଥା ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଦିବସ ପାଳନ ଅବସରରେ ନାରାୟଣ କୁଷ୍ଠ ସେବାଶ୍ରମ, ସ୍ଥାନୀୟ ଶିଶୁ ଗୃହ, ଉପକାରାଗାରରେ ଅନ୍ତେବାସୀଙ୍କୁ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରାଯାଇଥିଲା ସେହିପରି ପାଣିସିଆଲି ସ୍ଥିତ ଦିବ୍ୟାଙ୍ଗ ବିଦ୍ୟାଳୟର ଅନ୍ତେବାସୀଙ୍କୁ ମଧ୍ୟ ମିଷ୍ଟାନ ବଣ୍ଟନ ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ ନୂତନ ଟାଉନହଲ ଠାରେ ପୁରସ୍କାର ବିତରଣ ଏବଂ ସାଂସ୍କୃତିକ ସନ୍ଧ୍ୟାର ଆୟୋଜନ କରାଯାଇଥିଲା । ଏଥିରେ ଗଣତନ୍ତ୍ର ଦିବସ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶ୍ରେଷ୍ଠ ବ୍ୟକ୍ତି, ଅନୁଷ୍ଠାନ, କର୍ମଚାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ କଳାକାର ପ୍ରମୁଖ ସୁନ୍ଦର ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଦିବସ ପରିପ୍ରେକ୍ଷୀରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ରାମପ୍ରସାଦ ସାହୁ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ପ୍ରମୁଖଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଉପଜିଲ୍ଲାପାଳ ସୋନପୁର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ କଲେକ୍ଟର ସହିତ ଜିଲ୍ଲାସ୍ତରୀୟ ଅଧିକାରୀ ସମସ୍ତ ବିଭାଗୀୟ ମୁଖ୍ୟ, ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ଜିଲ୍ଲାସ୍ତରୀୟ ସାମ୍ବାଦିକ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହି ଜାତୀୟ ଦିବସ ପାଳନରେ ଉପସ୍ଥିତ ରହିଥିଲେ । ଦିବସର ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇଥିବା ବେଳେ ସକାଳ ୭.୩୦ମି ସମୟରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସହରସ୍ଥିତ ବିଭିନ୍ନ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଦିବସର ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଆବାସିକ କାର୍ଯ୍ୟାଳୟ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ସମୃଦ୍ଧ ଜିଲ୍ଲା ଗଠନ ସହ ରାଷ୍ଟ୍ର ଗଠନରେ ସମସ୍ତ ଅଧିକାରୀ କର୍ମଚାରୀ ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଜାତୀୟତାବାଦରେ ଯୋଡି ହେବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଦିବସରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ସହଯୋଗ ପୂର୍ବକ ସଫଳ କରିଥିବାରୁ ସମସ୍ତଙ୍କୁ ପ୍ରଶାସନ ତରଫରୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.