jayashree

ପାଟଣାଗଡ଼ ହୀରାସାଗର ବନ୍ଧଠାରେ ଘଟିଥିବା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ୍‌ ରିକ୍ରିଏସନ୍‌ କଲା ପୋଲିସ

ପାଟଣାଗଡ଼, (ଅଶୋକ କୁମାର ବାଗ) : ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ଗୁରୁବାର ସଂଧ୍ୟା ପ୍ରାୟ ୭ଟା ସମୟରେ ସ୍ଥାନୀୟ ଟିକପାଲି (ୱାର୍ଡ ନମ୍ବର-୧୧)ଠାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ହତ୍ୟାକାରୀ ଉଆଁସୁ ପୋଢ(୩୦)ଙ୍କ ଟାଙ୍ଗିଆ ଚୋଟରେ ଜଣେ ୨୦ ବର୍ଷିୟ ଯୁବକ ଜିତେନ ଧୁବଲଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ସୂଚନା ଅନୁଯାୟୀ ଟିକପାଲି ନିବାସୀ ଝାରୁ ଧୁବଲଙ୍କ ସାନପୁଅ ଜିତେନ ଏବଂ ଭକ୍ତ ପୋଢଙ୍କ ପୁଅ ଉଆଁସୁ ଇଟା ଗଢିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତେବେ ଉଭୟେ ଫେରି ଆସିବା ପରେ ମଧ୍ୟ ଉଆଁସୁ କୁଆଡେ ମଝି ମଝିରେ ଜିତେନକୁ ହତ୍ୟା ଧମକ ଦେଉଥିଲା । ଗତକାଲି ସଂଧ୍ୟା ୭ଟା ସମୟରେ ଟିକପାଲି ଉପକଣ୍ଠ ସ୍ଥିତ ହୀରାସାଗର ପୋଖରୀ ନିକଟରେ ଜିତେନ ଥିବା ବେଳେ ଉଆଁସୁ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିବା କୁହାଯାଉଛି । ଉଆଁସୁ ଧରିଥିବା ଏକ ଧାରୁଆ ଟାଙ୍ଗିଆରେ ଜିତେନଙ୍କ ବେକରେ ଆକ୍ରମଣ କରିଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣାସ୍ଥଳରେ ହିଁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଏବଂ ଏକ ଲୁହା ପାଇପ ପଡିଥିବା ଦେଖିବାକୁ ମିଳିଥିବା ବେଳେ ଘଟଣାସ୍ଥଳରୁ ଅଭିଯୁକ୍ତ ଉଆଁସୁ ଫେରାର ହୋଇଯାଇଥିଲେ । ପାଟଣାଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଜିତେନ୍‌ଙ୍କ ନିଶ୍ଚଳ ରକ୍ତ ଜୁଡୁବୁଡୁ ଶରୀରକୁ ପାଟଣାଗଡ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଅଭିଯୁକ୍ତକୁ ଖୋଜିବାରେ ତନାଘନା କରିଥିଲା । ଗତ ରାତିରେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳକୁ ଅଭିଯୁକ୍ତକୁ ନେଇ ଆଜି ସିନ୍‌ ରିକ୍ରିଏସନ୍‌ କରିଥିବା ଜଣାପଡିଛି । ଏନେଇ ପାଟଣାଗଡ଼ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଉଆଁସୁକୁ ପୋଲିସ କୋର୍ଟ ଚାଲାଣ କରିଛି । ଏନେଇ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ଘଟଣାର ଅଧିକ ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.