jayashree

ପାଟଣାଗଡ ପାର୍ସଲ ବୋମା ଘଟଣା : ୧୧ତମ ସାକ୍ଷୀର ବୟାନ ରେକର୍ଡ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଦୀର୍ଘ ସାଢ଼େ ଚାରି ବର୍ଷ ପରେ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ପୋରଣ ମାମଲାରେ ଗତ ଜୁଲାଇ ମାସରୁ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ଏହି ମାମଲାରେ ୧୧ ନମ୍ବର ସାକ୍ଷୀ ଭୋଲାନାଥ ମେହେରଙ୍କ ସାକ୍ଷ ପ୍ରମାଣ ଆଜି ଗ୍ରହଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଉକ୍ତ ସାକ୍ଷୀଙ୍କ ପାଟଣାଗଡ଼ ବ୍ଲକ ଛକରେ ଥିବା ଏକ ନିମ୍ବ ଗଛ ତଳେ ତାଙ୍କ ଏକ କମ୍ପ୍ୟୁଟର ଦୋକାନ ଥିଲା । ଯେଉଁଠାରେ କି ପୁଞ୍ଜିଲାଲ ପାଟଣାଗଡ଼ ବ୍ଲକ ଛକ ବାସିନ୍ଦା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ଘରକୁ ଏକ ଚିଠି ଡ଼ିଟିପି କରି ପୁଞ୍ଜିଲାଲ ପଠାଇ ଥିବା ସହ ସେହି କମ୍ପ୍ୟୁଟର ଦୋକାନରୁ ସେ ବିଭିନ୍ନ ପ୍ରକାର ଚିଠିମାନ ପ୍ରିଣ୍ଟଆଉଟ କାଢୁଥିଲା ବୋଲି ଜଣାପଡିଛି । ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ମୁତାବକ ସମୁଦାୟ ୬୭ ଜଣ ସାକ୍ଷୀଙ୍କୁ ସାକ୍ଷ ପ୍ରମାଣ ଗ୍ରହଣ ନିମନ୍ତେ ନୋଟିସ କରିବା ପାଇଁ କୋର୍ଟ ଅନୁମତି ଦେଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର କୌଣସି କାରଣ ବଶତଃ କୋର୍ଟକୁ ଆସି ନଥିବା ବେଳେ ତାଙ୍କ ଜାଗାରେ ତାଙ୍କ ଓକିଲ ପ୍ରମୋଦ ମିଶ୍ର ଆସିଥିଲେ । ସୂଚନା ଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ବ୍ଲକ ଛକ ବାସିନ୍ଦା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରବିନ୍ଦ୍ର ସାହୁଙ୍କ ଘରକୁ ଏକ ପାର୍ସଲ ପହଞ୍ଚିଥିଲା । ଉକ୍ତ ପାର୍ସଲକୁ ରବିନ୍ଦ୍ରଙ୍କ ପୁଅ ସୌମ୍ୟଶେଖର ଖୋଲିବା ସମୟରେ ତାହା ବିସ୍ପୋରଣ ଘଟିଥିଲା । ଏହି ବିସ୍ପୋରଣରେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଜେମାମଣି ପ୍ରାଣ ହରାଇଥିଲେ । ସୌମ୍ୟଙ୍କ ପତ୍ନୀ ସୀମା ସାହୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସୁଦ୍ଧା ଗୁରୁତର ହୋଇ ଦୀର୍ଘ ଦିନ ପର୍ଯ୍ୟନ୍ତ ଡାକ୍ତର ଖାନାରେ ଚିକିତ୍ସିତ ହୋଇଥିଲେ । ପ୍ରଥମେ ପାଟଣାଗଡ଼ ଥାନାରେ ଉକ୍ତ ମାମଲା ରୁଜୁ କରାଯାଇ ପୁଲିସ ତଦନ୍ତ କରିଥିଲା । ହେଲେ ସେଭଳି କୌଣସି ସଫଳତା ନ ମିଳିବା ପରେ ଏହି ମାମଲା କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚ ଏହାର ତଦନ୍ତ କରି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବରେ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.