ommm
jittmm

ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା : ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ

ରାଉରକେଲା : ରାଉରକେଲା ଛେଣ୍ଡ ଥାନାସ୍ଥିତ ଆଫର୍ଡେବଲ୍‌ କଲୋନିର ଏକ ଭୂତଳ ପାଣି ଟାଙ୍କି (ସମ୍ପ)ରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା ବିବାଦୀୟ ରୂପ ନେଇଛି । ମାମଲାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବାବେଳେ ଗୁରୁବାର ରାତିଅଧିଆ ଶବ ବ୍ୟବଚ୍ଛେଦକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । ଦିନ ତମାମ ଚୁପ୍‌ ଥିବା ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ତରବରିଆ ଭାବେ ରାତିରେ ମୃତଦେହ ବ୍ୟବଚ୍ଛେଦ କରାଇବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଛେଣ୍ଡରେ ନିର୍ମାଣାଧୀନ ଆଫର୍ଡେବଲ ହାଉସ୍‌ କଲୋନିର ‘ବି’ ବ୍ଲକ୍‌ରେ ଖୋଲା ଭୂତଳ ପାଣି ଟାଙ୍କିରେ ପଡ଼ି ରୋହିତ ବଡ଼ାଇକଙ୍କ ଝିଅ ସେରୁନ୍‌ (୫)ଙ୍କ ମୃତ୍ୟୁ ଘଟିଥିଲା । ଅପରାହ୍ନରୁ ସେରୁନ୍‌ ନିଖୋଜ ଥିବାବେଳେ ବୁଧବାର ରାତିରେ ମୃତଦେହ ଠାବ କରାଯାଇଥିଲା । ଅଘଟଣ ପରେ ଆପାର୍ଟମେଣ୍ଟ ନିର୍ମାଣ କରିଥିବା ଆର୍‌ଡିଏ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ଆପାର୍ଟମେଣ୍ଟ ବାସିନ୍ଦା । ଅସୁରକ୍ଷିତ ଭୂତଳ ଟାଙ୍କି ଉପରେ ଢାଙ୍କୁଣି କାହିଁକି ପକାଯାଇ ନ ଥିଲା, ଆପାର୍ଟମେଣ୍ଟ ଅସମ୍ପୂର୍ଣ୍ଣ ଥିବାବେଳେ ବସ୍ତିବାସୀଙ୍କୁ କିପରି ଥଇଥାନ କରାଗଲା, ଏଥିପାଇଁ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି । ରାଉରକେଲା ମହାନଗର ନିଗମ ଆସିଷ୍ଟାଣ୍ଟ କମିଶନର ଅଜିତ ପଟ୍ଟନାୟକ, ଅନ୍ୟ ଅଧିକାରୀ ଓ ପୁଲିସ୍‌ ପହଞ୍ଚି ସକାଳେ ଦୁର୍ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।

Leave A Reply

Your email address will not be published.