ବାରିପଦା : ମୃତ୍ୟୁ ସହିତ ବିତିଲା ରାତି । ଏକ ତମ୍ପ ସାପ ସହିତ ମଶାରୀ ଭିତରେ ସାରା ରାତି ଶୋଇଲେ ଜଣେ ମଣିଷ । ରାତି ସାରା ଶୋଇବା ପରେ ସକାଳୁ ଉଠିଲା ବେଳକୁ ବିଛଣାରେ ସାପ ଦେଖି ତାଙ୍କର ହୋସ୍ ଉଡ଼ିଯାଇଥିଲା । ସାପକୁ ଦେଖିବା ମାତ୍ରେ ତାଙ୍କ ଦେହ ଥରି ଉଠିଥିଲା । ସ୍ନେକ ହେଲ୍ପଲାଇନ ଖବର ଦିଆଯାଇଥିଲା । ଏହାପରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦିଆଯାଇଛି । ତେବେ ସୌଭାଗ୍ୟ ବଶତଃ କାହାରି କୌଣସି କ୍ଷତି ହୋଇନଥିବା ଜଣାପଡିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଡୁକୁରା ରେଞ୍ଜ ବନ ବିଭାଗ ଅନ୍ତର୍ଗତ ପ୍ରତାପପୁର ଗାଁରେ ଦେଖିବାକୁ ମିଳିଛି ଅଭଳି ଘଟଣା । ଗାଆଁର କାମିନିକାନ୍ତ ରାଉତଙ୍କ ଘରେ ବଡି ଭୋର୍ ସମୟରେ ସାପଟି ପଶି ଘର ମାଲିକ ଶୋଇଥିବା ମଶାରୀ ଭିତରେ ପଶି ଯାଇଥିଲା ଏବଂ ଆକ୍ରମଣ ନକରି ଆଶ୍ଚର୍ଯ୍ୟଜନକ ଭାବରେ ତାଙ୍କ ପାଖରେ ଶୋଇ ରହିଥିଲା । ତେବେ ସକାଳେ ନିଦ ଭାଙ୍ଗିବା ପରେ ଘର ମାଲିକ ଟର୍ଚ୍ଚ ଜାଳିବାରୁ ସାପକୁ ଦେଖିବାକୁ ପାଇଥିଲେ ଏବଂ ଦେଖି ଶାନ୍ତ ରହିଥିଲେ । ପରିବାରର ଜଣେ ସଦସ୍ୟଙ୍କୁ ବନ ବିଭାଗର ଉଦ୍ଧାରକାରୀ ଦଳକୁ ଡାକିବାକୁ କହିଥିଲେ । ସାପ ଉଦ୍ଧାରକାରୀ ଦଳର ସଦସ୍ୟ ସୂଚନା ପାଇ ଘଟଣାସ୍ଥଳକୁ ଆସିଥିଲେ । ସେଠାରେ ତମ୍ପସାପ ଏବଂ ଘର ମାଲିକଙ୍କୁ ପାଖରେ ଶୋଇଥିବାର ଦେଖି ପ୍ରଥମେ ଘର ମାଲିକ ଏବଂ ତାପରେ ସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ସୂଚନା ମିଳିଛି ।