oum

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

jsm
  • ରଥଯାତ୍ରାର ତୃଟିଶୁନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
  • ନିର୍ଘଣ୍ଟ ସମୟସୀମା ମଧ୍ୟରେ ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱ
  • ସମସ୍ତ ଭକ୍ତ ଓ ଯାତ୍ରୀଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ଦୁଇ ଦିନ ପାଇଁ ରଥ ଟଣା ଯାଉଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ, ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପି ଦେଇଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲ୍‌ଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକମାନଙ୍କର ସହଯୋଗ କାମନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ ମୂଳ ସେବକ ହେଉଛନ୍ତି ଆଦିବାସୀ । ଜଣେ ଆଦିବାସୀ ଭାବେ ମୁଁ ନିଜକୁ ଜଗନ୍ନାଥଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିଛି । ସେ ପୁଣି କହିଲେ ଯେ, ଜଗନ୍ନାଥ ହେଉଛନ୍ତି ଓଡିଆ ଜାତିର ପରିଚୟ ତାଙ୍କ ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ । ଏହାର ସୁପରିଚାଳନା ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ସମସ୍ତେ ଦାୟିତ୍ୱବାନ ହୋଇ ଏହାକୁ ଅତ୍ୟନ୍ତ ନିଷ୍ଠା ସହକାରେ ସୂଚାରୁରୂପେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ଯେହେତୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିବେ । ସମସ୍ତଙ୍କ ମିଳିତ ସହଯୋଗରେ ରଥଯାତ୍ରା ସୁରୁଖୁରରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ । ପୁରୀର ଜନସାଧାରଣ, ମହାପ୍ରଭୁଙ୍କ ସେବାୟତ, ପ୍ରଶାସନ, ପୁଲିସ ସମସ୍ତେ ସେବା ଓ ସମର୍ପଣ ମନୋଭାବ, ମହାପ୍ରଭୁଙ୍କ ଏ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରି ସଫଳ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ । ଏ ବର୍ଷ ଏକ ବିରଳ ରଥଯାତ୍ରା । ଏହି ଅବସରରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିଥିବାରୁ ସେ ଖୁସି ପ୍ରକାଶ କରି କହିଥିଲେ ଯେ, ଏ ବର୍ଷ ଦୁଇ ଦିନ ଧରି ରଥଟଣା କାର୍ଯ୍ୟକ୍ରମ ଥିବାରୁ ରଥଯାତ୍ରା ପରଦିନ ମଧ୍ୟ ଛୁଟି ରହିବ । ତେଣୁ ଜୁଲାଇ ୭ ତାରିଖ ସହିତ ଜୁଲାଇ ୮ ତାରିଖ ମଧ୍ୟ ଛୁଟି ଘୋଷଣା କରାଗଲା । ଏହି ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଅନ୍ୟ ମନ୍ତ୍ରୀ ଗଣ, ବିଧାୟକଗଣ, ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ, ମହାପ୍ରଭୁଙ୍କ ସେବାୟତଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.