ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଡ଼ଦାଣ୍ଡ ଚଳଚଞ୍ଚଳମୟ ହୋଇ ଉଠିଛି, ଆଉ ମାତ୍ର ସପ୍ତାହ ଟିଏ ପରେ ଅନୁଷ୍ଠିତ ହେବ ରଥଯାତ୍ରା । ବିଭିନ୍ନ ବର୍ଗର ସେବାୟତ ମାନଙ୍କର ପ୍ରସ୍ତୁତି ଜୋରସୋର ଚାଲିଛି । ତିନିରଥ ସିଂହଦ୍ୱାର ସମ୍ମୁଖରେ ରୂଢ଼ମାନ ହୋଇ ସାରିଲେ, ନିର୍ମାଣ ଓ ସାଜସଜ୍ଜା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି, ଭକ୍ତଜନଙ୍କୁ ଅନ୍ଲାଇନରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ଲୀଳାମୟ ଭଗବାନଙ୍କର ଅପୂର୍ବ ମହିମା ପାଇଁ ସଭିଏଁ ଆଗଭର ହୋଇ ଅପେକ୍ଷାରେ ଅଛନ୍ତି, କୋଟି କୋଟି ଭକ୍ତଜନ । ଆଜିର ରଥଖଳାରୁ ରଥ ନିର୍ମାଣ ଅଗ୍ରଗତି ସମ୍ପର୍କରେ ମିଳିଥିବା ସୂଚନା ଅନୁସାରେ ମୋଟ ନିର୍ମାଣକାରୀଙ୍କ ଉପସ୍ଥାନ :୧୯୭ । ତିନିରଥର ମୋଟ ମହାରଣା – ୭୮, ତିନିରଥର ଭୋଇ ସେବକ – ୭୬, ତିନିରଥ କରତି ସେବକ – ୫, ପାହି ମହାରଣା – ୧, ଓଝା ବା କମାର ସେବକ – ୧୬, ତୁମ୍ବ ବିନ୍ଧ କାରୀଗର – ୧, ତିନିରଥ ରୂପକାର ସେବକ – ୧୯, ରଥ ଖଳା ସହାୟକ – ୧ ମୋଟ ୧୯୭ ।
ରଥ ନିର୍ମାଣ ଅଗ୍ରଗତି ତିନିରଥର ବେଦୀ ସିଂହାସନ ସମେତ ବେଦୀ ଚତୁର୍ପାର୍ଶ୍ୱରେ ପଟା ପଡିବା ସମ୍ପୂର୍ଣ୍ଣ ହୋଇଅଛି । ତିନିରଥର ଦୁଆର ବେଢାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢାର ନାତଗୋଡ ସହ ଚଉଦ ନାହାକାରେ ଦୁଇଟି ଲେଖାଁଏ ସପୋର୍ଟ ବଟମ ବା ‘ଦୁଆର ବାଣିଆ’ ପ୍ରତି ରଥ ପାଇଁ୧୬ଟି ଲେଖାଁଏ ଫିଟିଙ୍ଗ କରାଯାଇଛି । ତିନିରଥର ୮ଟି ଲେଖାଁଏ ‘କନ୍ୟା ପଟା’ରେ କନ୍ୟା ଚିତ୍ର ଅଙ୍କନ ପରେ
କୋଣଗୁଜ ନିକଟ ଦଣ୍ଡା ମୁଁହାଟ ଏବଂ ନିରାଡ଼ି ସହ ଫିଟିଙ୍ଗ ହୋଇଅଛି । ତିନିରଥର ଉପର ଅଂଶ କନା ପଡିବା ପୂର୍ବରୁ ‘ହାତୀ ଆଳ ମାଳ’ ବା
ବତା ଫାଳିଆ କାଠ ବଟମ ୮ଟି ଲେଖାଁଏ ପଡିଥିଲା, ଆଜି ବଡଥଳ ପୋଟଳ ଠାରୁ ଚନ୍ଦ୍ରଶାଳୀ ପର୍ଯ୍ୟନ୍ତ ରଥର ପ୍ରତି କୋଣରେ ତିନୋଟି
ଲେଖାଁଏ ‘ମଣ୍ଡନୀ ବଟନ’ ପଡ଼ିଅଛି । ତିନିରଥର ରୂପକାର ସେବକ ମାନେ ‘ପ୍ରଭା’ରେ ରୂପ ଖୋଦେଇର ଶେଷ ସ୍ପର୍ଶ ଦେଉଛନ୍ତି । ଚିତ୍ରକାର ସେବକ ମାନେ ତିନିରଥର ୨୭ଗୋଟି ଶିଖର ଡମ୍ବରୁ (ପାର୍ଶ୍ୱ ଦେବଦେବୀଙ୍କ ଆସ୍ଥାନ), ପ୍ରତି ରଥର ୯ଟି ଲେଖାଁଏ ପାର୍ଶ୍ୱ ଦେବଦେବୀ
ସହ ଦୁଇଟି ଲେଖାଁଏ ଦ୍ୱାରପାଳ, ୯ଟି ଲେଖାଁଏ ତିନିରଥର ୨୭ଟି ସଖୀ, ସାରଥୀ, ରଙ୍ଗ କାର୍ଯ୍ୟ ଶେଷକରି ହଂସ ପରାରେ ହଂସ ଚିତ୍ର କରୁଛନ୍ତି, ଏଥିସହ ରଥଗୁଡିକରେ କୋଣଗୁଜ, ପଟା ଗୁଜରେ ରଙ୍ଗ କାର୍ଯ୍ୟ ଶେଷ କରି ଚକ ଗୁଡିକର ଚିତ୍ର କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ ଅସ୍ଥାଇ କମାର ଶାଳରେ ଓଝା ସେବକ ମାନେ କୋଠ
ସୁଆଁ ସିଆଙ୍କ ପାଇଁ ଛୁରୀ, ହାତୁଡୁ ନିର୍ମାଣ ସହ କ୍ଳାମ୍ପ ନିର୍ମାଣ କରୁଛନ୍ତି । ତିନିରଥର ଦରଜୀ ସେବକ ମାନେ ଉପର ବତା କାନାରେ ଲେସ ଫିଟିଙ୍ଗ ପରେ ଆଜି ଦୁଆର ବେଢା ପାଇଁ କାନା କଟିଙ୍ଗ କରି ସେଥିରେ ରୂପା ଲେସ ଫିଟିଙ୍ଗ କାର୍ଯ୍ୟ କରୁଛନ୍ତି ।