ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ କଟକ ପ୍ରସ୍ତୁତ

  • ମଧୁସୂଦନ ସଂଗ୍ରହାଳୟ, ନେତାଜୀ ମ୍ୟୁଜିୟମ୍‌, ହାଇକୋର୍ଟ ବର୍ଷ ପୂର୍ତ୍ତି, ଏନଏଲ୍‌ୟୁ, ଏସ୍‌ସିବି କାର୍ଯ୍ୟକ୍ରମରେ ଯୋଗ ଦେବେ

କଟକ : ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ କଟକ ପ୍ରସ୍ତୁତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ସଂପର୍କରେ ଆଲୋଚନା ପାଇଁ ଆସନ୍ତା ୧୮ତାରିଖ ଅପରାହ୍ନରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅନ୍ୟପଟେ ଅସ୍ଥାୟୀ ହେଲିପ୍ୟାଡ୍‌ ସହ ରାଷ୍ଟ୍ରପତି ଯେଉଁ ସବୁ ରାସ୍ତା ଦେଇ କାର୍ଯ୍ୟକ୍ରମସ୍ଥଳୀକୁ ଯିବେ ସେହି ରାସ୍ତାଗୁଡିକର ମରାମତି ଓ ସୌନ୍ଦର୍ଯ୍ୟିକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଷ୍ଟ୍ରପତି ନରାଜ୍‌ ହେଲିପ୍ୟାଡ୍‌ରେ ସକାଳ ୯ଟାରେ ଓହ୍ଲାଇବା ପରେ ପ୍ରଥମେ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବେ । ଏହାପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ବହନ କରୁଥିବା ଶୈଳବାଳା ମହିଳା ସ୍ବୟଂଶାସିତ କଲେଜରେ ପହଞ୍ଚି ମଧୁସୂଦନ ସଂଗ୍ରହାଳୟ ପରିଦର୍ଶନ କରିବେ ଏବଂ ସେଠାରୁ ନେତାଜୀ ମ୍ୟୁଜିୟମ୍‌ ପରିଦର୍ଶନରେ ମଧ୍ୟ ଯିବେ । ଓଡିଶା ହାଇକୋର୍ଟ ପ୍ରତିଷ୍ଠାର ୭୫ତମ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗ‌ଦେବା ପରେ ରାଷ୍ଟ୍ରପତି ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୁ)ରେ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ଅନ୍ୟପଟେ ପ୍ରଥମ ଥର ପାଇଁ ଏସ୍‌ସିବି ଛାତ୍ରସଂସଦର କାର୍ଯ୍ୟକ୍ରମ ‘ଅରୋରାରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଏସ୍‌ସିବି ଛାତ୍ରସଂସଦ ସଭାପତି ଡାକ୍ତର ଓମ୍‌ ସ୍ବୟଂ ପ୍ରକାଶ ରାଉତ୍‌ରାୟ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଡକାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁଲାଇ ୨୬ ତାରିଖ ସକାଳ ସାଢେ ୧୦ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କଟକରେ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.