ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁରେ ଯଦି ସାମାଜିକ, ଅର୍ଥନୈତିକ ବିକାଶର ସ୍ୱପ୍ନ ଦେଖାଯିବ ତେବେ ଶିକ୍ଷା ସାଙ୍ଗକୁ ଗ୍ରାମ୍ୟ ଅଂଚଳରେ ରାସ୍ତା ଗୁଡିକର ଉନ୍ନତିକରି ଗାଁ ଗାଁ ଭିତରେ ସହର ମଧ୍ୟକୁ ସଂଯୋଗୀକରଣ କରିବା ନିହାତି ଆବଶ୍ୟକ ଅଟେ । ବହୁ ଦିନରୁ ଲୋକେ ଦାବି କରୁଛନ୍ତି ଯେ ତାଙ୍କ ଅଂଚଳର ରାସ୍ତା ଗୁଡିକ ଉନ୍ନତିକରଣ ସହ ସହରକୁ ଯାଇଥିବା ପୁର୍ତ୍ତ ରାସ୍ତା ଗୁଡିକର ସଂଯୋଗୀକରଣ କରାଯାଉ । ସେ ସବୁକୁ ଉପଲବ୍ଧି କରି ଆଜି ସାରସମାଲ ପଂଚାୟତ ଠାରେ ସାରସମାଲରୁ ସିଲେଟକାନି ପର୍ଯ୍ୟନ୍ତ ଏବଂ ସିକୁଆଁ ପଂଚାୟତ ଠାରେ ସିକୁଆଁରୁ ଅର୍ଡା ପର୍ଯ୍ୟନ୍ତ ଦୁଇଟି ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ଦିଆଯାଇଛି । ଉଭୟ ରାସ୍ତା ନିଶ୍ଚିତ ଭାବରେ ଏହି ଅଂଚଳର ସାମାଜିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଆଜି ଉଭୟ ରାସ୍ତାର ଭିତ୍ତିପ୍ରସ୍ତର ଉତ୍ସବରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ ଉନ୍ନତ ଗମନାଗମନ ଦ୍ୱାରା ଅଂଚଳର ବିକାଶ ସବୁବେଳେ ତ୍ୱରାନ୍ୱିତ ହୋଇଥାଏ । ଆଉ ଦୁଇରୁ ୩ ମାସ ମଧ୍ୟରେ ଯେମିତି ଏହି ଉଭୟ ରାସ୍ତା କାମ ସମ୍ପୁର୍ଣ୍ଣ ହୋଇ ଲୋକାର୍ପଣ ହୋଇପାରିବ ସେ ଦିଗରେ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ ବିଭାଗୀୟ ଯନ୍ତ୍ରୀମାନେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ । ଉଭୟ ସାରସମାଲ ଏବଂ ସିକୁଆଁ ଠାରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଉଚ୍ଛର୍ସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସିକୁଆଁ ପଂଚାୟତର ସିକୁଆଁ ଠାରେ ରାସ୍ତା ଭିତ୍ତିପ୍ରସ୍ତର ବ୍ୟତିତ ଏକ ଗ୍ରାମ୍ୟ ମଣ୍ଡପ ଏବଂ କମ୍ୟୁନିଟି ସେଣ୍ଟରର ଶୁଭ ଉଦ୍ଘାଟନ ମାନ୍ୟବର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ଭିତ୍ତିପ୍ରସ୍ତର ପରବର୍ତ୍ତି ସଭାରେ ଗାଁର ମହିଳାମାନେ ତାଙ୍କର ବିଭିନ୍ନ ଅଭାବ ଅସୁବିଧା ବାବଦରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରାଇଥିଲେ ବିଶେଷ କରି ପିଇବା ପାଣି ସମସ୍ୟା ଯେପରି ସମାଧାନ ହୋଇ ପାରିବ ସେ ଦିଗରେ ବିଧାୟକ ଶ୍ରୀ ମିଶ୍ର ଶିଘ୍ର ପଦକ୍ଷେପ ନେବେ ବୋଲି ଗାଁ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ । ଏହି ଉଭୟ କାର୍ଯ୍ୟକ୍ରମମାନଙ୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନା ଓ ଯନ୍ତ୍ରୀ ବୁଦ୍ଧେଶ୍ୱର ମହାପାତ୍ରଙ୍କ ସମେତ ଯୁବନେତା ରାମଜୀ ଚୈାଧୁରୀ, ଅସୀତ ମିଶ୍ର, ପ୍ରଦୋଶ ପାଣିଗ୍ରାହୀ, ସରପଂଚ ରାମକୁମାର ଭୋଇ, ବଡବନ୍ଧ ସରପଂଚ ଜଗବନ୍ଧୁ ମେହେର, ଛାୟାକାନ୍ତ ଭୋଇ, ଲାଲ ବାବୁ, ପୂର୍ବତନ ଚେୟାରମେନ କୈଳାସ ତାଣ୍ଡି, ପପୁ ପାତ୍ର, ଦିଲିପ ସୁନା, ଚିନ୍ମୟ ମିଶ୍ର, ଚୈତନ ବାଗ, ଗୟାଧର ଭୋଇ, ଗଣ୍ଡାରାମ ପ୍ରଧାନ, ଲେକଚର ପ୍ରଧାନ, ଜୟନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
