ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମରଣଯନ୍ତା ପାଲଟିଛି ଛତ୍ରପୁର ବାଇପାସ ରାସ୍ତା । ଗତ ଦୁଇଦିନ ତଳେ ଛତ୍ରପୁର ବାଇପାସ୍ ଥିବା ଜାତୀୟ ରାଜପଥ କଲେଜ୍ ଛକ ନିକଟରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ । ସେହିପରି ଗଞ୍ଜାମ ଜିଲ୍ଲା ଜାତୀୟ ରାଜପଥ ଡିଆର୍‌ଡିଏ ଛକ ନିକଟରେ ଗୁରୁବାର ଦିନ ସଡ଼କ ଦୁର୍ଘଟଣା ଘଟି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ବ୍ରହ୍ମପୁର ବଡବଜାର ଅଞ୍ଚଳର ଜେ. ସ୍ୱାତୀ । ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଗାଡ଼ି ଲାଇସେନ୍ସ ପାଇଁ ବାପ ଓ ଝିଅ ସ୍କୁଟିରେ ଆସିଥିଲେ । ବାପ ଓ ଝିଅ ଘରକୁ ଫେରୁଥିବା ବେଳେ ରାଜପଥରେ ଟ୍ରକ୍‌ ସହ ଦୁର୍ଘଟଣା ଘଟି ବାପାଙ୍କ ଆଖି ସମ୍ନାରେ ଚାଲିଗଲା ଝିଅର ଜୀବନ । ଛତ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଗୁରୁବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିବା ପରେ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର୍ ପାତ୍ର, ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିଛନ୍ତି ଏବଂ ଅଦ୍ୟାବଧି ଜାରି ରଖିଛନ୍ତି । ବିଡମ୍ବନାର ବିଷୟ ହୋଇଛି, ଯାହାକି, ଜାତୀୟ ରାଜପଥ ଏନ୍.ଏଚ-୧୬, ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରକୁ ସଂଯୋଗ ସ୍ଥଳ କଲେଜ୍ ଛକ ଏବଂ ଡି.ଆର୍.ଡି.ଏ. ଛକ ରେ ବର୍ଷକରେ ବାର ମାସ, ଅବା ଆଜିକାଲି ନିୟମିତ ପ୍ରତି ଦୁଇଦିନକୁ ଥରେ ଗୋଟିଏ ଦୁଇଟି ଜାତୀୟ ରାଜପଥ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଏବଂ କେନ୍ଦ୍ରୀୟସ୍ତରରେ ନିଆଯାଉଥିବା କାର୍ଯ୍ୟାଧାରାରେ ଅନେକ ତ୍ରୁଟି ପରିଲିଖିତ ହେଉଥିବା ଜଣାଯାଇଛି । ଜାତୀୟ ରାଜପଥ ବିଭାଗର ବିଭିନ୍ନ ସମସ୍ୟାର ସରଳ ସମାଧାନ କରିବାରେ ଅବହେଳା ଯୋଗୁଁ ଘଟିଯାଉଛି ଦୁର୍ଘଟଣା । ଏଠାରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯିବା ନିମନ୍ତେ ପ୍ରଶାସନର ଟାଣୁଆ ପଦକ୍ଷେପ ଗ୍ରହଣ କରାଯିବାରେ ଅବହେଳା ନେଇ ଜନସାଧାରଣରେ ଅସନ୍ତୋଷ ସହ ପ୍ରତିବାଦର ସ୍ୱର ଉଠୁଛି । ଦୀର୍ଘ ୫ବର୍ଷ ହେଲା ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହୋଇପାରୁନାହିଁ । ଟେଣ୍ଡର ହୋଇଯାଇଛି, ଡିପିଆର ପ୍ରସ୍ତୁତ ହୋଇଯାଇଛି । କିନ୍ତୁ ଅନେକ ଗୁଡ଼ିଏ ସମସ୍ୟାକୁକୁ ସମାଧନ ହୋଇପାରୁନାହିଁ । ଏନେଇ ନିର୍ମାଣପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ସ୍ଥାନୀୟ ପ୍ରଶାସନ ମଧ୍ୟ ଏହାକୁ ସମାଧାନ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରାଯିବାରେ ଖାମ୍ ଖିଆଲ୍ ନୀତି ପ୍ରଦର୍ଶନ ଯୋଗୁଁ ଆଜି ଗଢ଼ି ଯାଉଛି ଅନେକଙ୍କ ଜୀବନ । ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି, ତାହାର କଳନା ନାହିଁ କି କାର୍ଯ୍ୟାନୁଷ୍ଠାନ ନାହିଁ । ଆଜକୁ ଦୀର୍ଘ ୪୦ବର୍ଷ ହେଲା ଏହି ସମସ୍ୟା । ଅନେକ ଛାତ୍ରନେତା, ରାଜନେତା ମଧ୍ୟ ଆନ୍ଦୋଳନ କରି କରି ଥକିଗଲେ । ତଥାପି ବିହିତ ପ୍ରତିକାର ବ୍ୟବସ୍ଥା ହୋଇପାରୁନାହିଁ । ପ୍ରକାଶ ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ହୁମ୍ମା ଅଞ୍ଚଳ, ଗଞ୍ଜାମ ସହର, ତାମ୍ପରା ହ୍ରଦ, ପାଲିଆ-ଛତ୍ରପୁର ଛକ, ଫାୟାର ଷ୍ଟେସନ୍ ଛକ, ବ୍ୟାଙ୍କ କଲୋନୀ, ସର୍ବୋପରି କଲେଜ୍ ଛକ, ଡି.ଆର୍.ଡି.ଏ. ଛକରେ ଦୁର୍ଘଟଣା ଘଟୁଛି । ସ୍ଥାୟୀ ଟ୍ରାଫିକ ପୋଲିସ ମୁତୟନ କରାଯାଉନାହିଁ । ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣର ନାଁ ଧରିବାରେ ପ୍ରଶାସନ ତତ୍ପରତା ପ୍ରକାଶ ପାଉ ନଥିବା ହେତୁ ଜନସାଧାରଣରେ ତୀବ୍ର ପ୍ରତିକ୍ରିୟା ଓ କ୍ଷୋଭ ପ୍ରକାଶ ପାଇଛି ।

Leave A Reply

Your email address will not be published.