ସିନାପାଲି, (ନିରାକାର ମେହେର) : ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଗୁଣାତ୍ମକ ମାନର ଶିକ୍ଷା ପାଇଁ ନୂତନ ଶିକ୍ଷକ ନିଯୁକ୍ତି, ନୂତନ ବିଦ୍ୟାଳୟ କୋଠା ନିର୍ମାଣ, ବିଦ୍ୟାଳୟ ପରିସରରେ ଖେଳପଡ଼ିଆ, ଶୌଚାଳୟ, ବିଦ୍ୟାଳୟ ପରିସରକୁ ପାଚେରୀ, ବିଦ୍ୟାଳୟ ସୌନ୍ଦର୍ୟ୍ୟକରଣ, ବିଦ୍ୟାଳୟକୁ ଯାତାୟତ ପାଇଁ ସବୁଦିନିଆ ରାସ୍ତା, ପାନୀୟ ଜଳଯୋଗାଣ, ବିଦ୍ୟୁତିକରଣ ଭଳି ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ହେଲେ ସିନାପାଲି ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ କନ୍ଦାମୁଣ୍ଡା ସ୍ଥିତ ପ୍ରାଥମିକ ବିଦ୍ୟାଳୟଠାରେ କିଛି ବ୍ୟତିକ୍ରମ ଦେଖାଯାଇଛି । ବିଦ୍ୟାଳୟକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଛାତ୍ରଛାତ୍ରୀ ଜମିହୁଡାରେ ମାଟି ରାସ୍ତା ଦେଇ ଯିବାଆସିବା କରୁଥିବା ଦେଖିବାକୁ ମିଳିଛି । ଫଳରେ ବିଦ୍ୟାଳୟକୁ ସବୁଦିନିଆ ରାସ୍ତା କେବେ ହେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁସାରେ ୧୯୬୦ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ବେଳେ ଆଜକୁ ପ୍ରାୟ ଷାଠିଏ ବର୍ଷ ବିତିଯାଇଥିଲେ ମଧ୍ୟ ସବୁଦିନିଆ ରାସ୍ତାଟିଏ ହୋଇପାରି ନାହିଁ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଆଠଟି ଶ୍ରେଣୀ ଥିବା ବେଳେ ମୋଟ ୧୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଆଠଟି ଶ୍ରେଣୀ ପାଇଁ ମାତ୍ର ୪ ଗୋଟି ଶ୍ରେଣୀ କୋଠରୀ ଥିବା ଜଣାପଡ଼ିଛି । ବର୍ତ୍ତମାନ ଶ୍ରେଣୀ କୋଠରୀ ସହିତ ଏକ ଅଫିସ କୋଠରୀ ଓ ପାଚେରୀ ମଧ୍ୟ ଜରୁରୀ ହୋଇପଡିଛି । ବିଦ୍ୟାଳୟର ମୁଖ୍ୟ ସମସ୍ୟା ଶିକ୍ଷକ ଅଭାବ ହୋଇଥିବା ବେଳେ ସବୁଦିନିଆ ରାସ୍ତା ନିର୍ମାଣ ଜରୁରୀ ହୋଇପଡିଛି । ବର୍ଷାଦିନରେ ଆଣ୍ଠୁଏ କାଦୁଅରେ ଛାତ୍ରଛାତ୍ରୀଙ୍କୁ ଯିବାକୁ ପଡିଥାଏ । ପ୍ରାୟ ଷାଠିଏ ବର୍ଷର ବିଦ୍ୟାଳୟ ପାଇଁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ନ ହେବା ଅତ୍ୟନ୍ତ ପରିତାପର ବିଷୟ ହୋଇପଡିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଅବଗତ କରାଯାଉଥିଲେ ବି କର୍ଣ୍ଣପାତ କରୁନଥିବା ଅଭିଯୋଗ କରନ୍ତି । ଏସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ବାରମ୍ବାର ଅବଗତ କରାଯାଇଥିବା ବିଭାଗୀୟ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ନ ମିଳିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିଦ୍ୟାଳୟକୁ ଏକ ସବୁଦିନିଆ ରାସ୍ତା ନିର୍ମାଣ କରିବା ସହ ଅନ୍ୟାନ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ।