jayashree

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା – ମନ୍ତ୍ରୀ ଶ୍ରୀ ପାତ୍ର

  • ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ

ଭୁବନେଶ୍ୱର : ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସକସେନାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ବୈଠକରେ ଆଲୋଚନା ହେବାକୁ ଥିବା ବିଭିନ୍ନ ପ୍ରସଙ୍ଗ ସଂପର୍କରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଅବଗତ କରାଇଥିଲେ । ଚଳିତ ଖରିଫ୍‌ ଋତୁରେ ଧାନକିଣା ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି । ଚାଷୀମାନଙ୍କ ହିତକୁ ଅଗ୍ରାଧିକାର ଦେବା ସହ ସେମାନଙ୍କ ସମସ୍ୟାକୁ ଗୁରୁତର ଭାବେ ବିଚାର କରି ତ୍ୱରିତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ କହିଛନ୍ତି । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ସ୍ଥଳ ବିଶେଷରେ ଏହାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କୌଣସି ପଞ୍ଜୀକୃତ ଚାଷୀ ଧାନକିଣାରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଣିକି ଆସନ୍ତା ଜାନୁଆରୀ ମାସରୁ ମାସିକିଆ ରାସନ ପ୍ରଦାନ କରାଯିବ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ ସୁଦ୍ଧା ପ୍ରଦାନ କରାଗଲେ ହିତାଧିକାରୀମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ସ୍ଥଳ ବିଶେଷରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨ମାସିଆ ରାସନ ମଧ୍ୟ ପ୍ରଦାନ କରାଯିବ । ଏଥି ନିମନ୍ତେ ଡିଲରମାନେ ଠିକଣା ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ଉଠାଣ କରିବା ଏବଂ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଅନ୍ୟପକ୍ଷରେ ଇ – କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅବଗତ କରିବା ପାଇଁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସୁଦ୍ଧା ୮୪ ପ୍ରତିଶତ ଇ – କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ଏଥି ସହ ଖାଉଟିମାନଙ୍କ ହିତକୁ ଦୃଷ୍ଟିରେ ରଖି ଦରଦାମ ନିୟନ୍ତ୍ରଣ ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବା ବ୍ୟବସାୟୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଚଢ଼ାଉ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବାକୁ ପଡିବ । ଏତଦ୍‌ବ୍ୟତୀତ ଖାଉଟିମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସ୍ତରରେ ବିଭାଗ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ବୈଠକରେ ଆଲୋଚନା ହୋଇଛି । ଜିଲ୍ଲା ଗୁଡ଼ିକରେ ଖାଲି ପଡ଼ିଥିବା କଞ୍ଜୁ୍ମର ଫୋରମ୍‌ରେ ପଦବୀ ପୂରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉଭୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ରାଜ୍ୟ ଖାଦ୍ୟଯୋଗାଣ ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.