ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌ ରମେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସ୍‌ର ସେକ୍ସନ ଅଫିସର୍‌ ରମେଶ ପ୍ରସାଦ ନାଗଙ୍କ ଘରେ ଗତକାଲି ଗୁରୁବାର ଦିନ ଭିଜିଲାନ୍ସ ବିଭାଗ ରେଡ୍ କରିଥିଲା । ରମେଶଙ୍କ ଘର ଓ ଅଫିସ ଉପରେ ଭିଜିଲାନ୍ସ ରେଡ୍‌ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତାଙ୍କ ନିକଟରୁ ପାଖାପାଖି ୧କୋଟି ୩ଲକ୍ଷ ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହୋଇଛି । ତାଙ୍କର ବଲାଙ୍ଗିରରେ ୨ଟି କୋଠା ରହିଥିବା ଜଣାପଡ଼ିଛି । ବଲାଙ୍ଗିରରେ ୩ଟି ପ୍ଲଟ ଓ ସୋନପୁରରେ ରହିଛି ଗୋଟିଏ ପ୍ଲଟ । ଏଥିସହ ଗୋଟିଏ ଚାରି ଚକିଆ ଯାନ ଦୁଇଟି ଦୁଇ ଚକିଆ ଯାନ ରହିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି । ଏହି ଚଢାଉରେ ୨ଜଣ ଡିଏସ୍‌ପି, ୫ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାପଡିଛି । ତେବେ ଶ୍ରୀ ନାଗ ଏତିକି ସମ୍ପତ୍ତି କେଉଁଠୁ ପାଇଲେ, ତାର ସନ୍ତୋଷଜନକ ଉତ୍ତର ଭିଜିଲାନ୍ସ ସମ୍ମୁଖରେ ରଖିପାରିନଥିବା ଜଣାପଡିଛି । ସମ୍ବଲପୁର ଭିଜିଲାନ୍ସ କେସ୍‌ ନଂ. ୩୮/୧୯.୧୧.୨୦୨୧ ଆଧାରରେ ଶ୍ରୀ ନାଗଙ୍କ ନାମରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଆଜି ଗିରଫ କରାଯାଇ ବଲାଙ୍ଗିରର ଭିଜିଲାନ୍ସ ସ୍ପେସାଲ ଜଜ୍‌ଙ୍କ ପାଖରେ ହାଜର କରାଯାଇଥିବା ସୂଚନା ମିଳିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.