ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବାଲିଗୁଡା ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡା ଚାରିଆଡେ ଉତ୍ସବ ମୁଖର ହୋଇଉଠିଥିଲା । ବାଲିଗୁଡା ସହରର ସମସ୍ତ ମନ୍ଦିରରେ ଭକ୍ତ ଓ ଜନସାଧାରଣ ଏହି ଉତ୍ସବକୁ ଘରେ ଘରେ ପାଳନ କରିବା ସହ ଘର ସମ୍ମୁଖରେ ଗୈରିକ ଧ୍ୱଜା ଲଗାଇବା ସହ ଝୋଟି ଅଙ୍କନ ଓ ସନ୍ଧ୍ୟାରେ ଦୀପ ଜାଳି ରାମଲାଲାଙ୍କୁ ସ୍ଵାଗତ କରିଛନ୍ତି । ରାଷ୍ଟ୍ରୀୟ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦିରଠାରୁ ଶ୍ରୀରାମ ନାରା ଦେଇ ସଂକୀର୍ତ୍ତନ କରିବା ସହ ଏକ ବିରାଟ ପଟୁଆରରେ ସମଗ୍ର ସହର ପରିକ୍ରମା କରି କଳସ ଯାତ୍ରା ଓ କୁନି କୁନି ପିଲାମାନେ ଶ୍ରୀରାମ ନାରା ଦେଇ ସ୍ଥାନୀୟ ଜେଲ ନିକଟସ୍ଥ ଶ୍ମଶାନ ଘାଟ ସମ୍ମୁଖ ରାସ୍ତା ପାର୍ଶ୍ଵରେ ଏକ ରାମ ମନ୍ଦିର ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉତ୍ସବ ଯଥାବିଧି ସହକାରେ ପୂଜାର୍ଚ୍ଚନା ସହ ଆୟୋଜନ ହୋଇଥିଲା । ସନ୍ଧ୍ୟା ସମୟରେ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେରେ ଦୀପ ପ୍ରଜ୍ଵଳନ କରି ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା । ଏହି ଅବସରରେ ହନୁମାନ ମନ୍ଦିରରେ ୧୦୮ ହନୁମାନ ଚାଳିଶା ପାଠ କରିବା ସହ ୧୯୯୨ ମସିହାରେ ଅଯୋଧ୍ୟାକୁ ଯାଇଥିବା କରସେବକ ଓ ତାଙ୍କ ପରିବାରଙ୍କୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ଏକ ବିରାଟ ବାଇକ ରାଲିରେ ବାଲିଗୁଡାର ଜନସାଧାରଣ ସାମିଲ ହୋଇଥିବା ବେଳେ ବଣିକ ସଙ୍ଘ, କ୍ଷୁଦ୍ର ବଣିକ ସଂଘ, ବସଷ୍ଟାଣ୍ଡ ବଣିକ ସଙ୍ଘ ସମେତ ସମସ୍ତ ବ୍ୟବସାୟୀ ଦୋକାନ ବଜାର ବନ୍ଦ କରିବା ସହ ବିଭିନ୍ନ ସଂଗଠନ ସାମିଲ ହୋଇ ଏକ ବିରାଟ ବାଇକ ରାଲି କରାଯାଇଥିଲା । ଜକି ସାହି ଛକ, କୋଳି ଗଛ ଛକ, ବସଷ୍ଟାଣ୍ଡ, ମାଉସୀ ମା’ ମନ୍ଦିର ବିଭିନ୍ନ ସ୍ଥାନରେ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ବେଳେ ବାଲିଗୁଡା ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦୀପ ପ୍ରଜ୍ଵଳନ ସହ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା । ବାଲିଗୁଡା ସହର ବ୍ୟତୀତ ବାରଖମା, ସୁଡ୍ରା, ଖମନଖୋଲ, ଲଣ୍ଡାଗାଁ, ବାଟାଗୁଡା, ପରମପଙ୍ଗା, ସିନ୍ଦ୍ରିଗାଁ, କୁଟିକିଆ ଆଦି ସ୍ଥାନରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସନ୍ଧ୍ୟାରେ ମା’ ପାଟ୍ଟଖଣ୍ଡା ମନ୍ଦିର ପରିସରରେ ପ୍ରଭୁ ଶ୍ରୀରାମଙ୍କ ସ୍ତୁତି, ବନ୍ଦନା ସହ ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଶତାଧିକ ଭକ୍ତ ଓ ଜନସାଧାରଣଙ୍କୁ ନେଇ ଆୟୋଜନ କରାଯାଇଥିଲା ।