ପେସାରେ ଚୁଟି କାଟିବା, ନିଶାରେ ମିଲନ ରକ୍ତଦାତା

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାନବ ସେବା ହି ମାଧବ ସେବା । ଏହି କରୋନା ମହାମାରୀରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟୁଛି । ଅନେକ ଲୋକ ରକ୍ତ ଅଭାବରୁ ମଧ୍ୟ ରକ୍ତ ନ ପାଇ ଡହଳ ବିକଳ ହୋଇ ଶେଷରେ ଆଖି ବୁଜି ଦେଉଛନ୍ତି ।ତେବେ ବଲାଙ୍ଗିର ଜିଲ୍ଲାରେ ଘୋର ରକ୍ତର ଅଭାବ ମଧ୍ୟ ରହିଛି । ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଆଗେଇ ଆସିଛନ୍ତି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ପଞ୍ଚାୟତ ଝିମନପାଲି ଗ୍ରାମର ବାପା ପୀତବାସ ବାରିକ ଓ ମାଆ ପୂର୍ଣ୍ଣମି ବାରିକଙ୍କ ପୁଅ ମିଲନ କୁମାର ବାରିକ(୩୩) । ସେ ଗତ ୧୯୮୭ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ସଇଁନ୍ତଲା କଲେଜରେ ଯୁକ୍ତ ଦୁଇ ପାଠ ପଢି ସାରିବା ପରେ ସମାଜସେବା ପାଇଁ ଆଗେଇ ଆସିଛନ୍ତି । ଗତ ୨୦୦୯ ମସିହା ଠାରୁ ଅନେକ ଲୋକଙ୍କୁ ରକ୍ତଦାନ କରି ଜୀବନ ମଧ୍ୟ ବଞ୍ଚାଇଛନ୍ତି । ସେ ଜଣେ ବାରିକ ଘରରେ ଜନ୍ମ ହୋଇଥିବା ବେଳେ ଲୋକଙ୍କ ଚୁଟି କାଟିବା ତାଙ୍କ ବୃତ୍ତି ହୋଇଥିବା ବେଳେ ନିଶା ତାଙ୍କ ପାଇଁ ଏବେ ପାଲଟିଛି ସମାଜସେବା । ସେ ୩୧ ଥର ଲୋକଙ୍କୁ ରକ୍ତ ଦାନ କରି ପାଇଛନ୍ତି ଅନେକ ନେତା, ମନ୍ତ୍ରୀ, ପ୍ରଶାସକ ଓ ବିଭିନ୍ନ ସଂଗଠନ ପକ୍ଷରୁ ମାନପତ୍ର । ଯେଉଁ ମୁହୂର୍ତ୍ତରେ ରକ୍ତର ଆବଶ୍ୟକ ପଡ଼ିଯାଏ ମନେ ପଡ଼ନ୍ତି ମିଲନ । ସଙ୍ଗେ ସଙ୍ଗେ ରକ୍ତ ଯୋଗାଡ଼ କରି ଲୋକଙ୍କ ଜୀବନ ବଞ୍ଚାଇ ବେଶ ଖୁସି ଅନୁଭବ କରନ୍ତି । ସେ ଟିଟିଲାଗଡ ଯୁବ ପ୍ରତିଭା ତଥା ରକ୍ତଦାତା ସଂଘ ସଭାପତି ଭାବରେ ଦ୍ବାୟୀତ୍ବ ନିର୍ବାହ କରୁଛନ୍ତି ମିଲନ ବାରିକ । ତେବେ ଗତକାଲି ସନ୍ଧ୍ୟାରେ ଜଣେ ୬ ବର୍ଷୀୟ ଝିଅ ରୋଲି ବାରିକଙ୍କୁ ଥାଲେସେମିଆ ରୋଗରେ ପୀଡିତ ଥିବାବେଳେ ତାଙ୍କ ରକ୍ତର ଆବଶ୍ୟକତା ପଡିଥିଲା । ତେବେ ଖବର ପାଇବା ପରେ ଦୀର୍ଘ ୫୦ କିଲୋମିଟର ଦୁରରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌କୁ ଯାଇ ରକ୍ତ ଭଣ୍ଡାରରେ ରକ୍ତ ଦାନ କରି ଝିଅର ଜୀବନକୁ ବଞ୍ଚାଇଥିଲେ । ତେବେ ଏଭଳି ମାନବିକତାକୁ ନେଇ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଂସଶାର ସୁଅ ଛୁଟୁଛି । ଲୋକଙ୍କ ସେବା ମୋର ପାଇଁ କର୍ତ୍ତବ୍ୟ ହୋଇଥିବା ବେଳେ ଲୋକଙ୍କ ଆଶୀର୍ବାଦ ମୋ ପାଇଁ ପୁଣ୍ୟ ଅର୍ଜନ ବୋଲି ମିଲନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.