- ୫୧ୟୁନିଟ ରକ୍ତ ସଂଗୃହୀତ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଠ ସାମ୍ବାଦିକ ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ବୁଧବାର ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ପରିବାର, ମୟୂରଭଞ୍ଜ ପକ୍ଷରୁ ଆୟୋଜିତ ଶିବିରକୁ ଜିଲ୍ଲାପାଳ ହେମକାନ୍ତ ସୟ ଉଦ୍ଘାଟନ କରିବା ସହିତ ଏପରି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା, ରାମଚନ୍ଦ୍ର ଦାସ, ସୁକାନ୍ତ କୁମାର ଜିଉ, କବିବିଷ୍ଣୁ ଶତପଥି, ବିଭୁଦତ୍ତ ଦାସ ଓ ସମାଜସେବୀ ଅମରସେଠୀ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲାର କୋଣ ଅନୁକୋଣରୁ ସାମ୍ବାଦିକ ଓ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତ ଦାନ କରିବା ସହ ଦୀର୍ଘ ୬୦ବର୍ଷ ଧରି ନିର୍ଭିକ ସାମ୍ବାଦିକତା କରିଥିବା ସ୍ୱର୍ଗତଃ ଅମରେନ୍ଦ୍ରଲାଲ ବୋଷଙ୍କ ପ୍ରତି ସମସ୍ତେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଶିବିରରେ ମୋଟ ୫୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ରକ୍ତଦାତା କାର୍ଡ ସହିତ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ରକ୍ତ ଭଣ୍ଡାରର ଡାକ୍ତର ଓ ବୈଷୟିକ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ଶିବିର ପରିଚାଳନାରେ ଅସୀମ ଚକ୍ରବର୍ତ୍ତୀ, ସୋମନାଥ ସିଂ ଓ ଶ୍ରୀମା’ ମହିଳା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ୨୦୨୬ ଜାନୁଆରୀ ୧୭ତାରିଖରେ ଜିଲ୍ଲାର ଅନ୍ୟତମ ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମଳୟ ମହାନ୍ତଙ୍କ ସ୍ମୃତିରେ ମଧ୍ୟ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି ।