ଭୁବନେଶ୍ୱର, (କେପିଏନ୍ଏସ୍) : ରକ୍ତଦାନ ଓ ଗ୍ରହଣର ସ୍ରୋତ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଓଡ଼ିଶା ମୋ ପରିବାରର ଆନୁକୂଲ୍ୟରେ ଜୟ ଓଡ଼ିଶା ଏକ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହା ସହିଦନଗର ଦୁର୍ଗା ପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ସତ୍ୟନଗର ମଶାଣିର କର୍ମଚାରୀମାନେ ଉଦ୍ଘାଟିତ କରିବା ସହ ବହୁ ସଂଖ୍ୟାରେ ଯୋଗଦେଇ ରକ୍ତଦାନ ଶିବିରର ଏକ ମୁଖ୍ୟ ଅଂଶ ଭାବେ ବିବେଚିତ ହୋଇଥିଲେ । ଦୀର୍ଘ ୨ବର୍ଷ ଧରି ଅହୋରାତ୍ର କାର୍ଯ୍ୟରତ ରହି ରାଜ୍ୟବାସୀଙ୍କୁ ନିରନ୍ତର ସେବା ଯୋଗାଉଥିବା ଏହି କର୍ମଚାରୀ ମାନଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । କୋଭିଡ଼୍ର ସମସ୍ତ ନିୟମାବଳୀକୁ ଦୃଷ୍ଟିରେ ରଖି ଶିବିରଟି ସମ୍ପୂର୍ଣ୍ଣ ଭାବେ ଏକ ଭ୍ରାମ୍ୟମାଣ ଯାନ ମଧ୍ୟରେ ସଂଚାଳିତ ହୋଇଥିଲା ଏବଂ ମୋଟ ୮୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋ ପରିବାରର ଆବାହକ ଅରୁନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ, ଅନ୍ୟାନ୍ୟ ଅତିଥି ଭାବେ ଉମାନାଥ ମିଶ୍ର, ନରେନ୍ ସାହୁ, ପ୍ରକାଶ ତ୍ରିପାଠୀ ଓ ବିଭୁଦତ୍ତ ଦାସ ଯୋଗ ଦେଇଥିଲେ ।
ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଓଡ଼ିଶା ମୋ ପରିବାରର ଆନୁକୂଲ୍ୟରେ ଏହି ଶିବିରଟି ଆୟୋଜିତ ହୋଇଛି । ନିରବଚ୍ଛିନ୍ନ ଭାବେ ରକ୍ତ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ହି ଏହାର ମୁଖ୍ୟ ଲକ୍ଷ୍ୟ ଅଟେ । ଆଗାମୀ ଦିନରେ ମଧ୍ୟ ଏଭଳି ରକ୍ତଦାନ ଶିବିରର ଆୟୋଜନ କରାଯିବ ତଥା ଅନ୍ୟାନ୍ୟ ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ, କମ୍ୟୁନିଟି ଓ ଆସୋସିଏସନ୍ ଆଦିଙ୍କୁ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଏହିଭଳି ରକ୍ତଦାନ ଶିବିର ବ୍ୟବସ୍ଥା କରିବା ପାଇଁ ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ ଅନୁରୋଧ କରିଥିଲେ ।