ବାରିପଦା, (ଦେବସ୍ମିତ ଚୌଧୁରୀ) : ମୋରଡା ବ୍ଲକ ସ୍ଥିତ ଗରୁଡ ବସା ଗ୍ରାମ ଦାନ୍ତିଆ ମୁହାଁ ଗ୍ରାମ ପଂଚାୟତର ନିବାସୀ ତଥା ସ୍ୱାମୀ ବିବେକାନନ୍ଦ ସ୍ୱୟଂ ସେବା ସଂଗଠନର ପ୍ରତିଷ୍ଠାତା ଓ ସଭାପତି ରଞ୍ଜନ କୁମାର ମହାନ୍ତ ୩୧ ବର୍ଷ ବୟସରେ ବାରିପଦା ସ୍ଥିତ ଓଡିଶା ରକ୍ତ ଭଣ୍ଡାରରେ ସ୍ୱଇଚ୍ଛାରେ ୩୨ ତମ ରକ୍ତ ଦାନ କଲେ । ସେ ୨୦୧୩ ରୁ ଆଜି ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ରକ୍ତ ଦାନ କରି ଚାଲିଛନ୍ତି । ତାଙ୍କ ରକ୍ତ ଦାନ ସମୟରେ ସଂଘର ସାଧାରଣ ସମ୍ପାଦକ ରାଜକିଶୋର ସିଂ, ଅବିନାଶ ସିଂ ତଥା ବାରିପଦା ନାରାୟଣ ସେବା ଟ୍ରଷ୍ଟର ପ୍ରତିଷ୍ଠାତା ଡା. ନିରୋଜ କୁମାର ପୋଥାଳ, ସର୍ଦ୍ଦାର ହରିଚରଣ ସିଂହ, ଉତ୍ତମ ରାଉତ, ହିମାଂଶୁ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ମହାନ୍ତଙ୍କ ଏଭଳି ସତକର୍ମରେ ଅନୁପ୍ରାଣିତ ହୋଇ ତାଙ୍କ ପିତା ବାସୁଦେବ ମହାନ୍ତ ମଧ୍ୟ ୫୬ ବର୍ଷ ବୟସରେ ୧୧ ଥର ରକ୍ତ ଦାନକଲେଣି । ଏହି ସଂଘର ସମସ୍ତ ସଦସ୍ୟ ରକ୍ତ ଦାନ ସହ ରୋଗୀ ସେବାକୁ ପ୍ରାଧାନ୍ୟ ଦେଇଥାନ୍ତି । ସମୟ ସମୟରେ ନିଜର ଅର୍ଥ ଖର୍ଚ୍ଚକରି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ନେଇ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି । ଏହିଭଳି କାର୍ଯ୍ୟରେ ସମସ୍ତ ସଦସ୍ୟ ସଙ୍ଘବଦ୍ଧ ଭାବରେ ଅଂଶ ନେଇଥାନ୍ତି । ଏହି ଅବସରରେ ସାମ୍ବାଦିକ ଶ୍ରୀ ପ୍ରହରାଜ ତାଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।