ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗଙ୍ଗାଧର ଜୟନ୍ତୀ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶଙ୍କର ବଢେଇ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରି ରକ୍ଷା ବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁ ଭଉଣୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମକୁ ନୀତୁ ସାହୁ ଗୁରୁମା ସଂଯୋଜନା କରିଥିବାବେଳେ ରକ୍ଷାବନ୍ଧନ ଉପରେ ମନ ମୋହିନୀ ଗୁରୁମା ଓ ଗଙ୍ଗାଧରଙ୍କ ଉପରେ ସ୍ନିଗ୍ଧା ଗୁରୁମା ବୌଦ୍ଧିକ ପ୍ରଦାନ କରିଥିଲେ । ସପ୍ତପର୍ଣ୍ଣା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଭାଇଭଉଣୀ ଓ ଗୁରୁଜୀ ଗୁରୁମା ପରସ୍ପରଙ୍କୁ ରାକ୍ଷୀ ବାନ୍ଧିଥିଲେ । ଶିଶୁ ମାନଙ୍କ ସହିତ ଥାନା ପରିସର, ବିଜ୍ଞାପିତ ଅଞ୍ଚଳ ପରିଷଦ, ବସଷ୍ଟାଣ୍ଡ ଆଦି ବିଭିନ୍ନ ସ୍ଥାନକୁ ଯାଇ ରାକ୍ଷୀ ବାନ୍ଧିଥିଲେ । ବିଦ୍ୟା ମନ୍ଦିର ପରିସରରେ ମୁଖ୍ୟ ଅତିଥି ଭାବରେ ଏକ ଟଙ୍କିଆ କ୍ଲିନିକ୍ର ପ୍ରତିଷ୍ଠାତା ଡ଼ଃ ଶଙ୍କର ରାମଚନ୍ଦାନୀ ଯୋଗଦେଇ ବର୍ତ୍ତମାନ ଯୁଗରେ ରକ୍ଷା ବନ୍ଧନର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସୁରେଶ ରାମଚନ୍ଦାନୀ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବେ ଶିକ୍ଷକ ଜୟଦେବ ବେହେରା ଯୋଗଦେଇ ରକ୍ଷାବନ୍ଧନ ଉପରେ ବୌଦ୍ଧିକ ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୁଷମା ଗୁରୁମା ସଂଯୋଜନା କରିଥିବାବେଳେ କଲ୍ୟାଣୀ ମିଶ୍ର ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ଭାଇଭଉଣୀ ମାନଙ୍କ ସମେତ ଗୁରୁଜୀ ଗୁରୁମା କୁସୁନାପାଲି, ଜେଲଘର ଚାରପାଲି କଲୋନୀ ଆଦି ସ୍ଥାନ ମାନଙ୍କରେ ରାକ୍ଷୀ ବାନ୍ଧିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
