jayashree

ଚିନ୍ମୟ ବିଦ୍ୟାଳୟର ନିଆରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ବିଦ୍ୟାଳୟ, ଛେଣ୍ଡ ପରିସରରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି । ରାକ୍ଷୀ ପୂର୍ଣ୍ଣିମା ଏକ ସମ୍ପର୍କର ଉତ୍ସବ । ଭଉଣୀ ଭାଇକୁ ରାକ୍ଷୀଟିଏ ବାନ୍ଧି ଦିଏ । ନିଜର ସ୍ନେହ ଓ ଭଲପାଇବାକୁ ଅଜାଡ଼ି ଦିଏ ଏହି ସମ୍ପର୍କର ସୂତାଟିଏ ମାଧ୍ୟମରେ । ଭାଇ ଭଉଣୀ ପ୍ରତି ନିଜର ଭଲ ପାଇବା ଓ ସମର୍ପଣ ଭାବ ପ୍ରକାଶ କରିଥାଏ । ଭାରତୀୟ ପରମ୍ପରାରେ ରାକ୍ଷୀ କେବଳ ଭାଇ ଓ ଭଉଣୀ ମଧ୍ୟରେ ସୀମିତ ନ ରହି, ଏହା ଏକ ରକ୍ଷା ସୂତ୍ର ଭାବରେ ଯୁଗ ଯୁଗ ଧରି ଯିଏ ରକ୍ଷା କରେ ତାକୁ ବାନ୍ଧି ଦିଆଯାଏ । ଏହା ଏକ ସୁନ୍ଦର ପରମ୍ପରା । ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିବସରେ ଚିନ୍ମୟ ବିଦ୍ୟାଳୟ, ଛେଣ୍ଡର ଛାତ୍ରଛାତ୍ରୀମାନେ ନିଜର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ରାଉରକେଲା ସରକାରୀ ଚିକିତ୍ସାଳୟରେ ପହଞ୍ଚି ସେଠାରେ ନିରନ୍ତର ଜନସେବାରେ ବ୍ରତୀ କର୍ମକର୍ତ୍ତାମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ସେମାନଙ୍କୁ ବନ୍ଦାପନା କରିବା ସହ ମିଠା ଖୁଆଇଥିଲେ । ସମସ୍ତଙ୍କୁ ଗୋଟିଏ ଗୋଟିଏ ଛତା ଉପହାର ଭାବରେ ପ୍ରଦାନ କରିଥିଲେ । ପରେ ସେଠାରେ ସେବାରତ ଡାକ୍ତର ଓ ନର୍ସମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ । ଛାତ୍ରଛାତ୍ରୀ ସମାଜ ସେବାରେ ବ୍ରତୀ ମଣିଷମାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁବ୍ ଖୁସି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ରବି ନାରାୟଣ ଦଣ୍ଡିଆ, ବେନି ପ୍ରସାଦ ମହନ୍ତ ତଥା ଶିକ୍ଷୟତ୍ରୀ ଭୂମିକା ପଟ୍ଟନାୟକ ଓ ମାଧବୀ ହୋତା ପରିଚାଳନା କରିଥିଲେ । ଏହାସହ
ବିଦ୍ୟାଳୟ ପ୍ରାଙ୍ଗଣରେ ଏହି ଉତ୍ସବ ଖୁବ୍ ଆକର୍ଷଣୀୟ ଭାବରେ ପାଳନ କରାଗଲା । ଭାରତୀୟ ସେନାରୁ ଅବ୍ୟାହତି ନେଇଥିବା ୧୪ ଜଣ ଦେଶପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଫ୍ଲାଇଟ୍ ଲେଫ୍ଟନାଣ୍ଟ ବସନ୍ତ ମହାରଣା, କ୍ୟାପଟେନ ପ୍ରଦୀପ ବେକ, ହାବିଲଦାର ନିର୍ମଳ ଦାସ, ସୁବେଦାର୍ ଧନେଶ୍ଵର ଦାସ, ଅଫିସର ଅସୀମ ମିଶ୍ର, ହାବିଲଦାର ଦୁଷ୍ମନ୍ତ ସାହୁ, ସର୍ଜେଣ୍ଟ ପ୍ରଶାନ୍ତ ପାଣିଗ୍ରାହୀ, ଅଫିସର ସୁବ୍ରତ ମହାପାତ୍ର, ନାଇକ ଶିବଶରଣ ମିଶ୍ର, କ୍ୟାପଟେନ ନିରଞ୍ଜନ ରଣା, ହାବିଲଦାର ବଳରାମ ଚମ୍ପତିରାୟ, ସୁବେଦାର୍ ଅନନ୍ତ ଦାସ, ହାବିଲଦାର ବିଶ୍ଵନାଥ ଗୁପ୍ତା ଏବଂ ବି.କେ ହୋତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମାନଙ୍କ ମଧ୍ୟରୁ କ୍ୟାପଟେନ ପ୍ରଦୀପ ବେକ ସୋର୍ଯ୍ୟଚକ୍ର ପୁରସ୍କାରପ୍ରାପ୍ତ ଭାରତର ଗର୍ବ ଅଟନ୍ତି । ଏମାନଙ୍କ ମଧ୍ୟରେ କାରଗିଲ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ବୀର ମଧ୍ୟ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀ ଏମାନଙ୍କୁ ଶଙ୍ଖ, ହୁଳହୁଳି, କୁମ୍‌କୁମ୍ ଚନ୍ଦନ ଓ ପୁଷ୍ପଗୁଚ୍ଛ ସହ ସ୍ୱାଗତ କରିଥିଲେ । ଅଶ୍ଵିନୀ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ପ୍ରାର୍ଥନା ସହ ଜଗନ୍ନାଥଙ୍କୁ ଅତିଥି ଗଣ ପୁଷ୍ପ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ନିରୁପମା ମହାପାତ୍ରଙ୍କ ତତ୍ୱାବଧାନରେ ପିଲାମାନେ ଦେଶାତ୍ମବୋଧକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ଦେଶର ବୀର ସୈନ୍ୟମାନଙ୍କୁ
ରାକ୍ଷୀ ବାନ୍ଧି ଓ ସ୍ନେହର ଉପହାର ପ୍ରଦାନ କରି ପିଲାମାନେ ଅତ୍ୟନ୍ତ ଗର୍ବ ଅନୁଭବ କରିଥିଲେ । ଶିକ୍ଷୟତ୍ରୀ ସୁମତି ମିଶ୍ରଙ୍କ ପରିଚାଳନାରେ ଛୋଟ ପିଲାମାନେ ଖୁବ୍ ସୁନ୍ଦର୍ ନୃତ୍ୟ ପରିବେଷଣ କରିଥିଲେ । ଛାତ୍ର ସୌମ୍ୟ ଶୁଭମ୍ ନିଜର ଚିତ୍ତାକର୍ଷକ ବଂଶୀବାଦନରେ ସମସ୍ତଙ୍କ ମନ ମୋହିଥିଲେ । ସପ୍ତମ ଶ୍ରେଣୀର ସାଇ ସ୍ଵସ୍ତିକ ଜେନା ଆମ ବୀର ସୈନିକଙ୍କ ଅବଦାନ ନିମନ୍ତେ ତାଙ୍କର ଗୌରବ ଗାନ କରିଥିଲେ । ଅତିଥି ଗଣ ପିଲାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଲେଫ୍ଟନାଣ୍ଟ ବସନ୍ତ ମହାରଣା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କ୍ୟାପଟେନ ବେକ ନିଜର ସୋର୍ଯ୍ୟ ଚକ୍ର ପୁରସ୍କାର ସମ୍ବନ୍ଧରେ କହିଥିଲେ । ତାଙ୍କର ବୀରତ୍ୱର ଗାଥା ପିଲାମାନଙ୍କୁ ଖୁବ୍ ଉତ୍ସାହିତ କରିଥିଲା । ଅନ୍ୟମାନେ ପିଲାମାନଙ୍କୁ ଦେଶ ଭକ୍ତି ସହ ଦେଶର ସେନାରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ । ନିଜ ଭିତରର ଶକ୍ତିକୁ ଚିହ୍ନିବା ସହ ଭଲ ମଣିଷ ହେବାକୁ ପ୍ରବର୍ତ୍ତାଇ ଥିଲେ । ଯୁବକମାନେ ନିଶା ପାନରୁ ଦୂରେଇ ରହିବାକୁ ମଧ୍ୟ କହିଥିଲେ । ସମସ୍ତ ଅତିଥିଙ୍କ ଉପଦେଶମୂଳକ ବାର୍ତ୍ତା ବାସ୍ତବିକ୍ ଖୁବ୍ ଭଲ ଲାଗିଲା । ଛାତ୍ରଛାତ୍ରୀ ଅତ୍ୟନ୍ତ ଆନନ୍ଦ ସହ ଏହି ଉତ୍ସବକୁ ପ୍ରାର୍ଥନା ସହ ଶେଷ କରିଥିଲେ । ଶିକ୍ଷକ ରବି ନାରାୟଣ ଦାଣ୍ଡିଆ ଧନ୍ୟବାଦ୍ ଅର୍ପଣ କଲେ । ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହଯୋଗରେ ରକ୍ଷା ବନ୍ଧନ ଉତ୍ସବ ଖୁବ୍ ସୁନ୍ଦର୍ ବାର୍ତ୍ତା ସହ ଶେଷ ହେଲା ।

Leave A Reply

Your email address will not be published.