ଅଣ୍ଡାଗ୍ରାମ ଜନସେବା କେନ୍ଦ୍ର ଓ ତପସ୍ୟା ପାଠାଗାର ପକ୍ଷରୁ ବୃକ୍ଷକୁ ରାକ୍ଷୀ ବନ୍ଧନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ରବିବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଖୋର୍ଦ୍ଧା ଜିଲ୍ଲା ଅଣ୍ଡାଗ୍ରାମ ସ୍ଥିତ ଜନସେବା କେନ୍ଦ୍ର ଓ ତପସ୍ୟା ପାଠାଗାରର ମିଳିତ ଆନୁକୂଲ୍ୟରେ ବୃକ୍ଷଦେବତାଙ୍କୁ ବିଧିବଦ୍ଧ ଭାବେ ପୂଜନ ହୋଇ ବୃକ୍ଷ ସହିତ ରାକ୍ଷୀ ବନ୍ଧନ କାର୍ଯ୍ୟକ୍ରମ ଏକ ନିଆରା ପର୍ବ ଯୁବଗୋଷ୍ଠୀ ପାଳନ କରି ସମାଜକୁ ଏକ ନୂତନ ଦିଗନ୍ତ ପ୍ରତିପାଦନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଳବାଇ ଜନସେବା କେନ୍ଦ୍ରର ମୁଖ୍ୟ ପଦ୍ମନାଭ ସାହୁ ଓ ସିକୋ ଜନସେବା କେନ୍ଦ୍ରର ଫକୀର ମୋହନ ରାଉତରାୟ, ରାମଚଣ୍ଡୀର ଯୁବସମାଜ ସେବକ ଗଣେଶ ବେହେରା ଯୋଗଦେଇ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ସହଯୋଗ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇ ତିନୋଟି ବୃକ୍ଷରେ ରାକ୍ଷୀ ବନ୍ଧା ହୋଇଥିଲା । ବୃକ୍ଷ ଆମର ଜୀବନ ବନ୍ଧୁ, ବୃକ୍ଷ ହିଁ ଦେବତା ବୋଲି ଗଣନା କରାଯାଇ ଯୁବଗୋଷ୍ଠୀ ରାକ୍ଷୀବନ୍ଧନ କରି ସମାଜକୁ ନୂତନ ସଞ୍ଚାର ଦେଇଛନ୍ତି । ଗଛ ଆମକୁ ଅମ୍ଳଜାନ ଦିଏ, ତା’ ଅମ୍ଳଜାନରେ ଏ ଧରା ପୃଷ୍ଟରେ ମଣିଷ ସମାଜ ଆଉ ସମଗ୍ର ଜୀବଜଗତ ବଞ୍ଚିରହିଛି । ପ୍ରତି ବର୍ଷ କିଛି ଗଛ ଲଗାଇ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଅଣ୍ଡାଗ୍ରାମର ଯୁବଗୋଷ୍ଠୀ ଭାରତ ମାତାର ଚରଣ ଛୁଇଁ ଶପଥ କରିଛନ୍ତି । ଜନସେବା କେନ୍ଦ୍ରର ପରିଚାଳକ ପବିତ୍ର କୁମାରବରାଳ ସୁନ୍ଦର ପ୍ରୟାସ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।

Leave A Reply

Your email address will not be published.