ଡ଼. ଦୈତାରି ପୂଜାରୀ ପାଇଲେ ରାଜ୍ୟପାଳ ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ତଥା ଯୁବ ରେଡକ୍ରସ୍ ସଂଯୋଜକ ଡ଼. ଦୈତାରି ପୂଜାରୀ ରାଜ୍ୟର ଶ୍ରେଷ୍ଠ ପରାମର୍ଶଦାତା ଭାବେ ମହାମହିମ ରାଜ୍ୟପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ଭୁବନେଶ୍ଵର ରାଜଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବରେ ମହାମହିମ ରାଜ୍ୟପାଳ, ଓଡିଶା ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପୂଜାରୀଙ୍କୁ ୨୦୨୩-୨୪ ବର୍ଷ ପାଇଁ ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍‌ବିଏସ୍‌ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଜଣେ ନିୟମିତ ରକ୍ତଦାତା ଓ ପ୍ରୋତ୍ସାହକ ଭାବେ ଡ଼. ଦୈତାରି ପୂଜାରୀ ପୂର୍ବରୁ ରାଜ୍ୟ ରକ୍ତବୀର ସମ୍ମାନରେ ସମ୍ମାନିତ ହୋଇଥିଲେ । ରକ୍ତଦାନ ବ୍ୟତୀତ ଯୁବ ରେଡକ୍ରସ୍ ଓ ରେଡ ରିବନ କ୍ଲବ ସମ୍ବନ୍ଧିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ସଂପାଦନ, ପ୍ରାଥମିକ ସହାୟତା ତାଲିମ ପ୍ରଦାନ, ବୃକ୍ଷରୋପଣ, ବିପର୍ଯ୍ୟୟ ପରିଚାଳନା ପରି ଉଲ୍ଲେଖନୀୟ ଅବଦାନ ତଥା ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ୍‌ର କାର୍ଯ୍ୟକ୍ରମ ଗୁଡିକୁ ସଫଳ ରୂପେ ପରିଚାଳନା କରିଥିବାରୁ ରାଜ୍ୟପାଳ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସାକ୍ଷୀ ଭାବରେ ବଲାଙ୍ଗିର ଜିଲ୍ଲା ସୁଦାମ ଚରଣ ଡିଗ୍ରୀ କଲେଜର ପରାମର୍ଶଦାତା ପ୍ରଦୀପ୍ତ ପାଣିଗ୍ରାହୀ, ସ୍ୱେଚ୍ଛାସେବୀ ଉତ୍ତମ ପଟେଲ, ଲୋଇସିଂହା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ଅର୍ପଣ କୁମାର ବାରିକ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଏହି ସଫଳତା ପାଇଁ ଡ. ପୁଝାରୀ ବଲାଙ୍ଗିର ଜିଲ୍ଲା ରେଡ଼କ୍ରସର ପୃଷ୍ଠପୋଷକ ଆଜୀବନ ସଭ୍ୟ ବିଷ୍ଣୁ ପ୍ରସାଦ କେଡିଆ, ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଧନଞ୍ଜୟ ସେଠ ତଥା ସମସ୍ତ ଅଧ୍ୟାପକ, ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହି ସଫଳତା ପାଇବା ପଛରେ ଡ଼. ପୁଝାରୀଙ୍କ ସହଧର୍ମିଣୀ ଲୋଇସିଂହା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପିକା ସୁନନ୍ଦା ରାଣୀ ମହାପାତ୍ର, ସୁପୁତ୍ର ବିଶ୍ୱରଂଜନ ପୂଜାରୀ, ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ଡ. ଅମୃତ ସିଂ ବରିହା, ଜିଲ୍ଲାର ସମସ୍ତ ପରାମର୍ଶଦାତା ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.