
ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା୨୬ ନଂ ଜାତୀୟ ରାଜପଥ ତଥା ଦେଓଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ଜମା ହୋଇ ଆସ୍ତରଣ ସୃଷ୍ଟି ହେଲାଣି। । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଆଶଙ୍କା ପ୍ରକଟ ହେଉଛି । ସେହିପରି ଦେଓଗାଁ ବଙ୍ଗଳା ରାସ୍ତାର ସୋନଗଡ ନଦୀ ପୋଲ ଓ ସାତ ମୁହାଣ ପୋଲ ଉପରେ ଉଭୟ କଡ଼ରେ ବଳି ଜମା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ବ୍ୟବସ୍ଥା କାମ କରୁନାହିଁ । ଫଳରେ ଯାତ୍ରୀମାନେ ଯିବା ଆସିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଦେଓଗାଁ ଅଞ୍ଚଳରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ବିଭିନ୍ନ ନଦୀରୁ ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଛି । ନଦୀଗର୍ଭରୁ ବଡବଡ ମେସିନ ସାହାଯ୍ୟରେ ଓଦା ବାଲି ଉଠାଯାଉ ଥିବା ବେଳେ ଗାଡ଼ିରୁ ବାଲି ଓ ପାଣି ରାସ୍ତାରେ ପଡୁଛି । ହେଲେ ରାସ୍ତାରୁ ବାଲି ହଟାଯାଉନାହିଁ । ଫଳରେ ବିଭିନ୍ନ ସମୟରେ ଯାତ୍ରୀମାନେ ଯାତ୍ରା କରିବା ବେଳେ ଦୁର୍ଘଟଣାର ଆଶଙ୍କା ଦେଇ ଯାତାୟାତ କରୁଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ଅଞ୍ଚଳବାସୀ ଦାବି କରି ଆସୁଥିବା ବେଳେ ପ୍ରଶାସନ ଅଣଦେଖା କରୁଥିବା ଦେଖିବାକୁ ମିଳୁଛି ।