
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନିର୍ବାଚନ ଯେବେ ବି ଆସେ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଉପରେ ସମସ୍ତଙ୍କ ନଜର ରହିଥାଏ । ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ନିର୍ବାଚନ ସବୁଠାରୁ ହାଇ ଭୋଲ୍ଟେଜ୍ରେ ଚାଲିଥାଏ । ଚଳିତ ବର୍ଷ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବା ପୁର୍ବରୁ ଶୁକ୍ରବାର ଦିନ ଭୁବନେଶ୍ଵର ଶଙ୍ଖ ଭବନରେ କଂଗ୍ରେସ ଜିଲ୍ଲା ସଭାପତି ପୂର୍ବତନ ଟିଟିଲାଗଡ଼ ବିଧାୟକ ତଥା ବିରୋଧୀ ଦଳର ନେତା ସୁରେନ୍ଦ୍ର ସିଂ ଭୋଇ ବିଜେଡିରେ ଯୋଗଦାନ କରିବା ପରେ ଟିଟିଲାଗଡ଼ ରାଜନୀତି ଉଠୁଛି ପଡୁଛି । ଯେହେତୁ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ତିନୋଟି ବ୍ଲକ୍କୁ ନେଇ ନିର୍ବାଚନ ଲଢ଼ିବାକୁ ପଡ଼ିଥାଏ । ସେ ଭିତରୁ ସୁରେନ୍ଦ୍ରଙ୍କ ଗଡ଼ ଯାହାକି କଂଗ୍ରେସ ଅକ୍ତିଆରରେ ଥିଲା ଏବେ ବିଜେଡିରେ ସାମିଲ ହୋଇଗଲା । ବିରୋଧି ସୁରେନ୍ଦ୍ର ଏବେ ବିଜେଡି ଦଳ ପାଇଁ କାମ କରିବେ ଅର୍ଥାତ୍ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କୁ ବିଜୟୀ କରିବାରେ ସହାୟକ ହେବ ବୋଲି ଲୋକେ କହୁଛନ୍ତି । ତେବେ ବିଜେଡି ବିଜେପି କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିଦ୍ୱନ୍ଦିତା ହେଉଥିବା ବେଳେ କଂଗ୍ରେସ ନେତା ସିଂ ଭୋଇ ବିଜେଡିରେ ଯୋଗଦେବା ପରେ ଏବେ କେବଳ ବିଜେଡ଼ିର ଶକ୍ତି ବୃଦ୍ଧିପାଇଛି । ସେହିପରି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଓ କଂଗ୍ରେସ ପ୍ରାର୍ଥୀ କିଏ ହେବ ? ତାହାକୁ ନେଇ କଳ୍ପନା ଆରମ୍ଭ ହୋଇଛି । ଟୁକୁନି ସାହୁଙ୍କୁ ଟକ୍କର୍ ଦେବ କିଏ ? ବିଜେପି ପକ୍ଷରୁ ସାଂସଦ ପ୍ରାର୍ଥୀ ଭାବରେ ସଙ୍ଗୀତା ସିଂ ଦେଓଙ୍କ ନାମ ଆସିଥିବା ବେଳେ କିଛି ସମୟ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ / ପ୍ରାର୍ଥୀନୀଙ୍କ ନାମ ପ୍ରକାଶ ପାଇବ। ସେହିପରି କଂଗ୍ରେସ ଓ ବିଜେପି ପକ୍ଷରୁ କିଏ ଟିକେଟ୍ ପାଇବ ଯିଏ ଟିକେଟ୍ ପାଇବେ ସେ କେତେ ଉପଯୁକ୍ତ ପ୍ରତିଦ୍ୱନ୍ଦୀ ଦେଖିବାକୁ ବାକି ରହିଲା । ଅଙ୍କକଷା ଚାଲିଥିବା ବେଳେ ପ୍ରତ୍ୟାଶିଙ୍କ ଆଶା ସେହି ଲିଷ୍ଟ ଉପରେ ରହିଛି ।