ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ ପ୍ରତିଷ୍ଠା କେନ୍ଦ୍ର ମାଉଣ୍ଟଆବୁ (ରାଜସ୍ଥାନ)ର ଦ୍ୱିତୀୟ ସଂଚାଳିକା ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୃଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସର୍ବତ୍ର ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ସଂସ୍ଥାନ ଯୋଗେ ସମଗ୍ର ବିଶ୍ୱର ଶାନ୍ତି ପ୍ରତିଷ୍ଠା ପାଇଁ ଐଶ୍ୱରୀୟ ସନ୍ଦେଶ ମାଧ୍ୟମରେ ଦାଦୀଜି ଅହରହ ଉଦ୍ୟମ ଜାରୀ ରଖିଥିବା ସାଂଗକୁ ଅଖଣ୍ଡ ଭାରତବର୍ଷର ସମିଶ୍ରଣ ଓ ସଦା ଶାନ୍ତି ପ୍ରତିଷ୍ଠା ଦିଗରେ ଦାଦୀଙ୍କ ଉଦ୍ୟମ ଉଲ୍ଲେଖନୀୟ ଥିଲା । ଆଧୁନିକ ଭାରତବର୍ଷରେ ସର୍ବ-ଧର୍ମସମନ୍ୱୟ ଭାବ ଓ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଜୀବନର ଶେଷ ଯାଏଁ ବିଶ୍ୱ ସ୍ତରରେ ସନ୍ଦେଶ ବାଣୀ ମାଧ୍ୟମରେ ଉଦ୍ୟମ କରିଆସିଥିଲେ । ସର୍ବୋପରି ସେ ଈଶ୍ୱରଙ୍କ ସନ୍ତାନ ଭାବେ ବିଶ୍ୱରେ ଜଣେ ଶାନ୍ତିଦୂତ ଭାବେ ଜନ୍ମଗ୍ରହଣ କରିଥିଲେ ବୋଲି ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ବିଶଦ ଭାବେ ଗଣନା କରାଯାଇଛି । ଏହି ଅବସରରେ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ କୋଭିଡ଼ କଟକଣା ପାଳନ ପୂର୍ବକ ବିଧିବଦ୍ଧ ଭାବେ ସମାରୋହରେ ରାଜଯୋଗିନୀ ଦାଦୀ ପ୍ରକାଶମଣିଜୀଙ୍କ ଚତୃଦଶତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ଆଧ୍ୟାତ୍ମିକତାର ସହ ସ୍ମୃତିଚାରଣସଭା, ଓଁକାରଧ୍ଵନି, ଧ୍ୟାନ, ମୁରଲୀ ପଠନ, ବ୍ରହ୍ମା ଭୋଜନ ସହ ସମାହିତ ହୋଇଛି । ଶାଖା ପରିଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ଓ ପରିଚାଳନା କରିଥିଲେ ।
Next Post