ଗରିମା ପରିବାରର ରଜ ପ୍ରତିଯୋଗିତା ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ଦ୍ୱିତୀୟ ରଜ ପ୍ରତିଯୋଗିତା ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆରମ୍ଭ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଓ ସତ୍ୟାନନ୍ଦ ବେହେରା ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଓଡିଶାର ପାରମ୍ପାରିକ ପର୍ବ ରଜ, ଯାହା ଓଡିଶାର ଗୌରବମୟ ପରମ୍ପରା ଓ ସଂସ୍କୃତିର ପରିଚାୟକ ଅଟେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିବାରୁ ସମସ୍ତଙ୍କୁ ଅତିଥିମାନେ ସାଧୁବାଦ ଦେଇଥିଲେ । ଉପଦେଷ୍ଟା ରଶ୍ମିତ ସାହାଣୀ ରଜ ସଂସ୍କୃତି ଓ ପାଳନର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ପ୍ରଥମ ଦିନରେ ପୁଚି, ପାନଭଙ୍ଗା ଓ ମେହେନ୍ଦୀ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ବିଚାରକ ଭାବେ ରଶ୍ମିବାଳା ରାଉତରାୟ, କେତକୀ ଭଟ୍ଟାଚାର୍ଯ୍ୟ, ରୁବି ରାୟ ଓ ନିରୁପମା ପ୍ରଧାନ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ପୁଚି ବରିଷ୍ଠ ବିଭାଗରେ ପଦ୍ମିନୀ ସ୍ବାଇଁ, ଅମିଷା ମହାନ୍ତି, ସବିତା ଷଡଙ୍ଗୀ ଓ କନିଷ୍ଠ ବିଭାଗରେ ଲକ୍ଷ୍ମୀମୟୀ ଷଡଙ୍ଗୀ, ପ୍ରିୟଙ୍କା ପ୍ରିୟା ଓ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରମୁଖ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ମେହେନ୍ଦୀରେ ଯଥାକ୍ରମେ ସୋନାଲିକା ରାଉତରାୟ, ପୁଷ୍ପାଞ୍ଜଳି ବେହେରା ଓ ରୀନାରାଣୀ ସାମଲ ତଥା ପାନଭଙ୍ଗା ପ୍ରତିଯୋଗିତାରେ ଅଙ୍କିତା ମହାନ୍ତି, ସୂଜାତା ପରିଡା ଓ ସୁକାନ୍ତୀ ପ୍ରଧାନ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଆଜି ପୋଡପିଠା ଓ ରଜ ରାଜକୁମାରୀ ପ୍ରତିଯୋଗିତା ସକାଳ ସାଢେ ୯ ଟାରେ ସେହି ସ୍ଥାନରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ବହୁସଂଖ୍ୟାରେ ଯୋଗଦେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ଗରିମାର ସମସ୍ତ ସଦସ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.